ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍ମାନେ ୧୭୭୫ ମସିହା ଯୁଦ୍ଧର ଅନେକ ପ୍ରମାଣ ଉଦ୍ଧାର କରିଛନ୍ତି। ବୋଷ୍ଟନର ପ୍ରସିଦ୍ଧ ‘ବଙ୍କର ହିଲ୍ ମନୁମେଣ୍ଟ’ ପାର୍କ ପରିସରରେ କରାଯାଇଥିବା ଏକ ଖନନରୁ ସେହି ସମୟର ମସ୍କେଟ୍ ବଲ୍ (ଏକ ପ୍ରକାର ପୁରୁଣା ବନ୍ଧୁକ ଗୁଳି) ଏବଂ ବିପ୍ଳବୀମାନଙ୍କ ଦ୍ୱାରା ନିର୍ମିିତ ଏକ ପ୍ରାଚୀନ ମାଟି ଦୁର୍ଗ ବା ସମର ଖାତର ସନ୍ଧାନ ମିଳିଛି। ଶତାବ୍ଦୀ ପୁରୁଣା ଏକ ମାନଚିତ୍ର ଏବଂ ଗ୍ରାଉଣ୍ଡ-ପେନେଟ୍ରେଟିଂ ରାଡାର ସହାୟତାରେ ଏହି ଗୁପ୍ତ ସ୍ଥାନ ଚିହ୍ନଟ କରାଯାଇଛି।
ବୋଷ୍ଟନ ସହରର ମୁଖ୍ୟ ପ୍ରତ୍ନତତ୍ତ୍ୱବିତ୍ ଜୋ ବ୍ୟାଗ୍ଲେଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ପ୍ରଥମ ଖନନରେ ହିଁ ଜୁନ ୧୭, ୧୭୭୫ ମସିହାରେ ବ୍ରିଟିଶ ସେନାକୁ ରୋକିବା ପାଇଁ ଆମେରିକୀୟ ଦେଶପ୍ରେମୀମାନଙ୍କ ଦ୍ୱାରା ରାତାରାତି ନିର୍ମିିତ ଏକ ବିଶାଳ ସମର ଖାତ ବା ଡିଚ୍ର ସନ୍ଧାନ ମିଳିଛି। ବ୍ୟାଗ୍ଲେ କହିଛନ୍ତି, ବିଶ୍ୱାସ ହେଉନାହିଁ ଯେ ଆଜି ଆମେ ଠିକ୍ ସେହି ସମର ଖାତ ଉପରେ ଛିଡ଼ା ହୋଇଛୁ, ଯେଉଁଠାରେ ୨୫୦ ବର୍ଷ ପୂର୍ୱେ ସଂଗ୍ରାମୀମାନେ ଯୁଦ୍ଧ ଲଢ଼ୁଥିଲେ। ଏହି ଖନନ ସମୟରେ ଯୁଦ୍ଧରେ ବ୍ୟବହୃତ ୮ଟି ମସ୍କେଟ୍ ଗୁଳି ଏବଂ ବନ୍ଧୁକର କେତେକ ଅଂଶ ଉଦ୍ଧାର କରାଯାଇଛି। ଏହା ସହିତ ଯୁଦ୍ଧ ପରେ ସେହି ଅଞ୍ଚଳକୁ କବ୍ଜା କରିଥିବା ବ୍ରିଟିଶ ସେନାର ଅଧିକାରୀମାନଙ୍କ ଦ୍ୱାରା ବ୍ୟବହୃତ ଚା’ କପ, ତମାଖୁ ପାଇପ୍, ଜାକେଟ୍ ବୋତାମ ଏବଂ ସେହି ସମୟର ପ୍ରଚଳିତ କୃତ୍ରିମ କେଶ ବା ୱିଗ୍ ସଜାଉଥିବା ରୋଲର୍ ମଧ୍ୟ ମିଳିଛି। ରଣକ୍ଷେତ୍ରର ବିଶେଷଜ୍ଞ ଜୋଏଲ ବୋହିଙ୍କ ଅନୁଯାୟୀ, ମାଟି ତଳୁ ଇଂରାଜୀ ଏବଂ ଫ୍ରେଞ୍ଚ ଉଭୟ ପ୍ରକାର ‘ଗନ୍ ଫ୍ଲିଣ୍ଟ’ (ବନ୍ଧୁକରେ ନିଆଁ ସ୍ପାର୍କ କରୁଥିବା ପଥର) ମିଳିଛି, ଯାହା ସେହି ସମୟର ରଣକୌଶଳର ଜୀବନ୍ତ କାହାଣୀ କହୁଛି। ମିଳିଥିବା ମସ୍କେଟ୍ ବଲ୍ଗୁଡ଼ିକର ଆକାରରୁ ଜଣାପଡ଼ୁଛି ଯେ, ସେଗୁଡ଼ିକ ବନ୍ଧୁକରୁ ଗୁଳିଫୁଟା ଯାଇଥିଲା, ମାତ୍ର କାହା ଦେହରେ ବାଜି ନ ଥିଲା। ଯଦି ବାଜିଥାନ୍ତା, ତେବେ ସୀସାରେ ତିଆରି ଏହି ଗୋଲାକାର ଗୁଳିଗୁଡ଼ିକର ଆକାର ବିକୃତ ହୋଇଯାଇଥାନ୍ତା। ଇତିହାସ ଅନୁଯାୟୀ, ବିଦ୍ରୋହୀମାନେ ବ୍ରିଟିଶ ସେନାର ଆକ୍ରମଣକୁ ରୋକିବା ପାଇଁ ‘ବଙ୍କର ହିଲ୍’ ଉପରେ ଦୁର୍ଗ ନିର୍ମାଣ କରିବାକୁ ଯୋଜନା କରିଥିଲେ। ମାତ୍ର କେଉଁ ଅଜ୍ଞାତ କାରଣରୁ ସେମାନେ ତଳକୁ ଥିବା ଏକ ଦୁର୍ୱଳ ପାହାଡ଼ିଆ ଅଞ୍ଚଳ ବ୍ରିଡ୍ସ ହିଲ୍ ଉପରେ ପୋଜିସନ ନେଇଥିଲେ ଏବଂ ସେଠାରେ ହିଁ ମୁଖ୍ୟ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ପ୍ରାୟ ୧,୦୦୦ରୁ ଅଧିକ ବ୍ରିଟିଶ ସୈନ୍ୟ ମୃତାହତ ହୋଇଥିଲେ। ଯଦିଓ ଆମେରିକୀୟ ବିପ୍ଳବୀମାନେ ପଛକୁ ହଟିଥିଲେ, ତଥାପି ଏହି ଯୁଦ୍ଧ ସାରା ଆମେରିକାକୁ ବ୍ରିଟିଶ ଶାସନ ବିରୋଧରେ ଏକାଠି କରିବାରେ ବିଜୟ ସଦୃଶ କାମ କରିଥିଲା। ୧୭୭୫ ମସିହାର ସେହି ଐତିହାସିକ ଦୁର୍ଗର କୌଣସି ଭୌତିକ ଅଂଶ ବାହାରକୁ ଦେଖାଯାଉ ନଥିବା ବେଳେ ପ୍ରତ୍ନତତ୍ତ୍ୱ ବିଭାଗର ଏହି ନୂତନ ଖନନ ଇତିହାସ ପାଠକ ଓ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ପ୍ରାମାଣିକ ଏବଂ ଜୀବନ୍ତ କରିପାରିଛି।