ଶ୍ୱର ସର୍ୱ ପୁରାତନ ପର୍ୱତମାଳା ମଧ୍ୟରେ ଆରାବଳୀ ଅନ୍ୟତମ। ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ରାଜ୍ୟର ଭୌଗୋଳିକ ସୀମା ମଧ୍ୟରେ ପ୍ରାୟ ୬୭୦-୮୦୦ କି.ମି. ସୁଦୀର୍ଘ ଅଞ୍ଚଳରେ ଏହା ପରିବ୍ୟାପ୍ତ। ପର୍ୱତମାଳାର ସର୍ୱୋଚ୍ଚ ଗିରିଶୃଙ୍ଗ ୧୭୨୨ ମିଟର ଉଚ୍ଚତା ବିଶିଷ୍ଟ ଗୁରୁ ଶିଖର ରାଜସ୍ଥାନରେ ଅବସ୍ଥିତ ।
ଏହି ପାହାଡ଼ ସମୂହର ମନୋରମ ସୌନ୍ଦର୍ଯ୍ୟ ସନ୍ନିବେଶ ରହିଛି ଏହାର ଦୁର୍ଗମ ଭୂଦୃଶ୍ୟ, ସମୃଦ୍ଧ ଜୈବ ବିବିଧତା ଏବଂ ଗଭୀର ସାଂସ୍କୃତିକ ଐତିହ୍ୟରେ, ଯାହା ସବୁଜିମା ପରିପୂର୍ଣ୍ଣ ଉପତ୍ୟକା; କୁମ୍ଭଲଗଡ଼, ଆମ୍ୱର ପରି ଚମତ୍କାର, ପ୍ରସ୍ତର ଆଚ୍ଛାଦିତ ଶିଖର ଓ ପ୍ରାଚୀନ ଦୁର୍ଗ; ମାଉଣ୍ଟ ଆବୁ ପରି ଶୈଳନିବାସ ଏବଂ ଦିଲୱା ଜୈନ ମନ୍ଦିର ପରି ଆଧ୍ୟାତ୍ମିକ ସ୍ଥଳୀ ସହ ଶାନ୍ତ, ସ୍ନିଗ୍ଧ ବାତାବରଣ ପ୍ରଦାନକରେ I ପାହାଡ଼ିଆ ପରିବେଶରେ ଯାଦୁକରୀ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ପ୍ରକୃତିପ୍ରେମୀଙ୍କ ନିମନ୍ତେ ଉପଭୋଗ୍ୟ ହୋଇଥାଏ ।
ଦିଲ୍ଲୀ-ଏନ୍ସିଆର୍ ପରି ଅଞ୍ଚଳରେ ଆରାବଳୀର ସବୁଜିମା ‘ସବୁଜ ଫୁସ୍ଫୁସ୍’ ଭାବରେ କାର୍ଯ୍ୟକରେ, ବାୟୁ ଗୁଣବତ୍ତାକୁ ଉନ୍ନତକରେ ଏବଂ ପରିବେଶୀୟ ସନ୍ତୁଳନ ବଜାୟ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଭୂମିକା ନିର୍ୱାହ କରେ। ଏହି ପାର୍ୱତ୍ୟାଞ୍ଚଳ ଭୂତଳ ଜଳର ପୁନଃ ଭରଣାକୁ ସମର୍ଥନକରେ, ଆଞ୍ଚଳିକ ଜଳବାୟୁକୁ ନିୟନ୍ତ୍ରଣକରେ ତଥା ବିବିଧ ଉଦ୍ଭିଦ ଓ ବନ୍ୟପ୍ରାଣୀଙ୍କୁ ବାସସ୍ଥଳୀ ପ୍ରଦାନ କରେ। ଏହାର ପ୍ରାଚୀନତା ଏବଂ ସାମଗ୍ରିକ ଗୁରୁତ୍ୱ ସତ୍ତ୍ୱେ ବର୍ଦ୍ଧିତ ଖଣି ଉତ୍ତୋଳନ, ଜଙ୍ଗଲ ଅବକ୍ଷୟ, ସହରୀକରଣ, ପରିବେଶଗତ ଆଇନର ଦୁର୍ୱଳ କାର୍ଯ୍ୟକାରିତା ତଥା ନୀତିଗତ ବିବାଦର ପରିଣାମରେ ସମ୍ପ୍ରତି ଆରାବଳୀ ଏକ ପ୍ରମୁଖ ପରିବେଶଜନିତ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ପର୍ୱତମାଳାର ସୁରକ୍ଷା ବନାମ ଅର୍ଥନୈତିକ ବିକାଶ ଉପରେ ବିତର୍କ କ୍ରମଶଃ ତୀବ୍ର ବିବାଦର ସୂତ୍ରପାତ ଘଟିଛି।
ତେବେ ପରିବେଶ ଦୃଷ୍ଟିରୁ ସମ୍ୱେଦନଶୀଳ ଆରାବଳୀ ଅଞ୍ଚଳରେ ମୁଖ୍ୟତଃ ପଥର, ମାର୍ୱଲ, କ୍ୱାର୍ଜାଇଟ, ତମ୍ୱା, ଚୂନ ପଥର ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ନିମନ୍ତେ ବ୍ୟାପକ ଖଣି ଖନନ ବୃଦ୍ଧି ପାଉଛି। ରାଷ୍ଟ୍ରର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଏବଂ ସହରାଞ୍ଚଳ ପ୍ରସାରଣ ସହ ବିଶେଷକରି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦର ନିକଟବର୍ତ୍ତୀ ଅଞ୍ଚଳରେ ଖଣି ଖନନ ତୀବ୍ର ହୋଇଚାଲିଛି। ଏପରି କାର୍ଯ୍ୟକଳାପ ଜଙ୍ଗଲ ଅବକ୍ଷୟ, ବନ୍ୟପ୍ରାଣୀ ବାସସ୍ଥଳୀର ବିନଷ୍ଟ, ମୃତ୍ତିକାର ଅବନତି ଏବଂ ଭୂତଳଜଳ ହ୍ରାସର କାରଣ ପାଲଟିଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ପରିବେଶଗତ ନିୟମସବୁ ଜାରି ସତ୍ତ୍ୱେ ରାଜନୈତିକ ପ୍ରଭାବ, ଅର୍ଥନୈତିକ ସ୍ୱାର୍ଥ ଏବଂ ଆଇନର ଦୁର୍ୱଳ କାର୍ଯ୍ୟକାରିତା କେତେକ ସ୍ଥାନରେ ବେଆଇନ ଖଣି ଖନନକୁ ସମର୍ଥନ ଯୋଗାଉଛି। ପରିବେଶୀୟ ଅବକ୍ଷୟର ପ୍ରତିକ୍ରିୟାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଆରାବଳୀର ସୁରକ୍ଷା ନିମନ୍ତେ ଅନେକ ଥର ହସ୍ତକ୍ଷେପ କରିଛନ୍ତି। ନ୍ୟାୟାଳୟ ହରିୟାଣା ଏବଂ ରାଜସ୍ଥାନର ପର୍ୱତମାଳାର କିଛି ଅଂଶରେ, ବିଶେଷକରି ଜଙ୍ଗଲ ଜମି ଭାବରେ ବର୍ଗୀକୃତ ଅଞ୍ଚଳରେ, ୨୦୦୨ ମସିହାରେ ଖଣି ଖନନ ଉପରେ ନିଷେଧାଦେଶ ଜାରି କରିଥିଲେ। ମାତ୍ର ସରକାରଙ୍କ ‘ଜଙ୍ଗଲ’ ଉପରେ ପ୍ରଦତ୍ତ ପରିଭାଷାରୁ ଏକ ପ୍ରମୁଖ ସମସ୍ୟା ଉପୁଜିଲା। ଆରାବଳୀର ଅନେକ ଅଞ୍ଚଳ ସରକାରୀ ରେକର୍ଡରେ ଜଙ୍ଗଲ ଭାବରେ ଲିପିବଦ୍ଧ ହୋଇ ନ ଥିଲା, ଯଦିଓ ସେଗୁଡ଼ିକ ପରିସଂସ୍ଥୀୟ ଦୃଷ୍ଟିକୋଣରୁ ଜଙ୍ଗଲ ହିଁ ଥିଲା। ଏପରି ସଂଜ୍ଞା ନିର୍ଦ୍ଧାରଣ ଅନେକ ଅଞ୍ଚଳରେ ଆଇନଗତ ଭାବରେ ଖଣି ଏବଂ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି ପ୍ରଦାନ କରିଛି, ଯାହା ଆରାବଳୀ ସଂରକ୍ଷଣ ପ୍ରୟାସକୁ ଦୁର୍ୱଳ କରିଛି।
ବିବାଦର ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି ସହରୀକରଣ ବୃଦ୍ଧି ଏବଂ ରିଏଲ ଇଷ୍ଟେଟ ବ୍ୟବସାୟର ପ୍ରସାର। ସହରଗୁଡ଼ିକ ବିସ୍ତାରିତ ହେବା ସହ ବିଶେଷକରି ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର୍) ଅଞ୍ଚଳରେ ଆରାବଳୀର ବିଶାଳ ଅଂଶକୁ ଗୃହ ପ୍ରକଳ୍ପ, ରାସ୍ତାଘାଟ ଏବଂ ବାଣିଜି୍ୟକ କମ୍ପ୍ଲେକ୍ସ ନିର୍ମାଣ ଉଦ୍ଦେଶ୍ୟରେ ସଫା କରାଯାଇଛି। ସମାଲୋଚ଼କମାନେ ଯୁକ୍ତି ବାଢ଼ନ୍ତି ଯେ ରାଜ୍ୟ ସରକାରମାନେ ଘରୋଇ ନିର୍ମାଣକାରୀଙ୍କୁ ସମର୍ଥନଦେବା ଲକ୍ଷ୍ୟରେ ପରିବେଶଗତ ଆଇନକୁ ଦୁର୍ୱଳ କରିଛନ୍ତି। ପରିବେଶବିତ୍ଙ୍କ ମତ ହେଉଛି, ଏହା ନିକଟବର୍ତ୍ତୀ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ, ଜଳ କ୍ଲିଷ୍ଟତା ଏବଂ ଜଳବାୟୁ ସମସ୍ୟାକୁ ଗମ୍ଭୀର କରୁଛି I ସାମ୍ପ୍ରତିକ ସମୟରେ, ନୂତନ ଭୂମି-ବ୍ୟବହାର ନୀତି ଅଧୀନରେ ଆରାବଳୀକୁ ପୁନଃ ପରିଭାଷିତ କରିବା ଏବଂ କେତେକ ନିର୍ମାଣ ପ୍ରକଳ୍ପକୁ ପରିବେଶୀୟ ମଞ୍ଜୁରୀରୁ ମୁକ୍ତ କରିବା ଭଳି ପ୍ରସ୍ତାବ ବିବାଦକୁ ତୀବ୍ର କରୁଛି। ଏହି ପରିପ୍ରେକ୍ଷୀରେ ସଂରକ୍ଷଣବାଦୀମାନେ ଆଶଙ୍କା ପ୍ରକଟ କରୁଛନ୍ତି ଯେ ଏପରି ନୀତି ଅଧିକ ଧ୍ୱଂସସାଧନକୁ ବୈଧତା ପ୍ରଦାନ କରିବ। ଅନ୍ୟପକ୍ଷରେ ସରକାର ଏବଂ ନିର୍ମାଣକାରୀ ସଂସ୍ଥାଗୁଡ଼ିକର ମତାମତ ହେଉଛି ଯେ ବିକାଶ ପ୍ରକ୍ରିୟାରେ ପ୍ରତିବନ୍ଧକ ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଏବଂ ଭିତ୍ତିଭୂମି ନିର୍ମାଣରେ କ୍ଷତି ପହଞ୍ଚାଇବ। ନିକଟରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆରାବଳୀ ପାହାଡ଼ ସବୁର ଉଚ୍ଚତାର ନୂତନ ସଂଜ୍ଞା ୧୦୦ ମିଟରରୁ ଊର୍ଦ୍ଧ୍ୱ ରଖିବାର ପ୍ରସ୍ତାବକୁ ସର୍ୱୋଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି I ମାତ୍ର ନ୍ୟାୟାଳୟଙ୍କ ଦ୍ୱାରା ୨୦୦୨ରୁ ସ୍ଥାପିତ କେନ୍ଦ୍ରୀୟ ସଶକ୍ତ କମିଟି ଗୁରୁତ୍ୱ ଆରୋପ କରିଛି, ଭାରତର ଜଙ୍ଗଲ ସର୍ୱେକ୍ଷଣ ସଂସ୍ଥା ଦ୍ୱାରା ପ୍ରଦତ୍ତ ସଂଜ୍ଞାକୁ ଆରାବଳୀର ଛୋଟବଡ଼ ପାହାଡ଼ସମୂହ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଗ୍ରହଣ କରାଯିବା ବାଞ୍ଛନୀୟ I କୋର୍ଟ ନିଯୁକ୍ତ ଆମିକସ୍ କ୍ୟୁରି ମନ୍ତ୍ରଣାଳୟର ୧୦୦ ମିଟର ସଂଜ୍ଞାକୁ ଅନୁପଯୁକ୍ତ କହି ବିରୋଧ କରିଛନ୍ତି I
ଏବେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ସ୍ଥଗିତ ରଖି ପ୍ରସଙ୍ଗର ପୁନର୍ୱିଚାର ପାଇଁ ଘୋଷଣା କରିଛନ୍ତି।
ଉଲ୍ଲେଖନୀୟ ଯେ ବୈଜ୍ଞାନିକ, ପରିବେଶ କର୍ମୀ ଏବଂ ନାଗରିକ ସମାଜ ସଙ୍ଗଠନଗୁଡ଼ିକ ଆରାବଳୀ ପୁନରୁଦ୍ଧାରର ଗୁରୁତ୍ୱ ବିଷୟରେ ନିରନ୍ତର ସଚ଼େତନତା ବୃଦ୍ଧି କରିଆସୁଛନ୍ତି। ବନୀକରଣର ପ୍ରସାରଣ, ଅବୈଧ ଖଣିଖାଦାନକୁ ନିଷିଦ୍ଧକରିବା, ବନ୍ୟପ୍ରାଣୀ ଚଲାପଥକୁ ସୁରକ୍ଷା ଦେବା ଏବଂ ସହନୀୟ ଭୂମି-ବ୍ୟବହାର ଯୋଜନା ଭଳି ପଦକ୍ଷେପ ଗ୍ରହଣ ନିମନ୍ତେ ପରାମର୍ଶ ଦିଆଯାଇଛି। ପାହାଡ଼ର ୧୦୦ ମିଟର ବ୍ୟାଖ୍ୟାନକୁ ନେଇ ପରିବେଶବିତ୍ ଆଶଙ୍କା ପ୍ରକଟ କରିଛନ୍ତି ଯେ ଏହାଦ୍ୱାରା କମ୍ ଉଚ୍ଚତାର ପାହାଡ଼ମାନେ ଆଇନଗତ ସୁରକ୍ଷା ହରାଇବେ ଏବଂ ଅଧିକ ଖଣି ଓ ନିର୍ମାଣ କାର୍ଯ୍ୟ ନିମନ୍ତେ ପଥ ଉନ୍ମୁକ୍ତ ହେବ।
କିଛି ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥାବୃକ୍ଷରୋପଣ ଅଭିଯାନ ଏବଂ ପରିବେଶ ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କରିଛନ୍ତି ସତ, କିନ୍ତୁ ଘଟୁଥିବା କ୍ଷୟକ୍ଷତିର ପରିମାଣ ତୁଳନାରେ ଏହି ପ୍ରୟାସଗୁଡ଼ିକ ସୀମିତ। ଅବଶ୍ୟ ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଭୟବାଣୀ ଶୁଣାଇଛନ୍ତି ଯେ ପର୍ୱତମାଳାର ସମୁଦାୟ ୧ ଲକ୍ଷ ୪୭ ହଜାର ବର୍ଗ କି.ମି. ଆୟତନ ମଧ୍ୟରୁ ମାତ୍ର ୨%ରୁ କମ୍ ଅଞ୍ଚଳରେ ଖଣିଜ ଖନନ କାର୍ଯ୍ୟ ସମ୍ପାଦିତ ହେଉଛି ଏବଂ ଅଧିକ ଖଣି ନିମନ୍ତେ ଅନୁମତି ପ୍ରଦାନ କରାଯିବ ନାହିଁ I ଅନ୍ୟପକ୍ଷରେ ଏହି ପର୍ୱତମାଳାର ପୁନରୁଦ୍ଧାର ନିମନ୍ତେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆରାବଳୀ ଗ୍ରୀନ୍ ୱାଲ୍ ଇନିସିଏଟିଭ’ ପ୍ରକଳ୍ପ ହେଉଛି ଏକ ପ୍ରମୁଖ ପଦକ୍ଷେପ, ଯାହା ସମ୍ପୃକ୍ତ ରାଜ୍ୟଗୁଡ଼ିକରେ, ପୋରବନ୍ଦରରୁ ପାନିପଥ ପର୍ଯ୍ୟନ୍ତ, ୧,୪୦୦ କି.ମି. ଲମ୍ୱ ଏବଂ ୫ କି.ମି. ଚଉଡ଼ାର ସବୁଜ ବଳୟ ସୃଷ୍ଟିର ଲକ୍ଷ୍ୟ ରଖେ I ଆଫ୍ରିକାର ମହାନ୍ ‘ଗ୍ରେଟ୍ ଗ୍ରୀନ୍ ୱାଲ’ ଦ୍ୱାରା ଅନୁପ୍ରାଣିତ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ମରୁଭୂମିକରଣକୁ ରୋକିବା, ମୃତ୍ତିକା ସ୍ୱାସ୍ଥ୍ୟକୁ ଉନ୍ନତ କରିବା, ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ଥାନୀୟ ଜାତିର ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣକରି ଜୈବ ବିବିଧତାକୁ ସମୃଦ୍ଧ କରିବା। ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୫ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ତାଙ୍କ ଘୋଷିତ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନକୁ ଏହି ପ୍ରକଳ୍ପ ସହ ସଂଯୁକ୍ତ କରିଛନ୍ତି I
ପରିଶେଷରେ ଆରାବଳୀ ବିବାଦ କେବଳ ଏକ ପର୍ୱତମାଳାକୁ ନେଇ ନୁହେଁ, ବରଂ ନିରନ୍ତର ବିକାଶ ଏବଂ ପରିବେଶଗତ ଦାୟିତ୍ୱ ପ୍ରସଙ୍ଗ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଆରାବଳୀକୁ ସୁରକ୍ଷା ପ୍ରଦାନ, ବିଶେଷ ରୂପେ ଉତ୍ତର ଭାରତ ନିମନ୍ତେ ପରିବେଶଗତ ସନ୍ତୁଳନ, ଜଳବାୟୁ ସ୍ଥିରତା ଏବଂ ସାଧାରଣ ସ୍ୱାସ୍ଥ୍ୟରକ୍ଷା ପରିପ୍ରେକ୍ଷୀରେ ଅତ୍ୟନ୍ତ ଜରୁରୀ। ବିକାଶ ଯେପରି ଅପରିବର୍ତ୍ତନୀୟ ପରିବେଶ କ୍ଷତିସାଧନର ମୂଲ୍ୟରେ ନ ଘଟେ, ସେଥିପାଇଁ ଦୃଢ଼ ଆଇନ, ଜଙ୍ଗଲ ଜମିର ସ୍ପଷ୍ଟ ପରିଭାଷା, କଠୋର ପ୍ରବର୍ତ୍ତନ ଏବଂ ଜନସଚ଼େତନତା ଏକାନ୍ତ ଅପରିହାର୍ଯ୍ୟ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ:୯୪୩୭୦୭୬୧୦୦


