ନୂଆଦିଲ୍ଲୀ,୨୩ା୬: ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ସହରକୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ଆରାବଳୀ ବାୟୋଡାଇଭର୍ସିଟି ପାର୍କ ବା ଆରାବଳୀ ଜୈବ ବିବିଧତା ଉଦ୍ୟାନ ପ୍ରାକୃତିକ କବଚ ସାଜିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ ନୂତନ ଗବେଷଣା ଅନୁଯାୟୀ, ଏହି ସବୁଜ ଅରଣ୍ୟ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ଲିଟର ବର୍ଷା ଜଳକୁ ପୃଥିବୀ ପୃଷ୍ଠରେ ଧରି ରଖିବାରେ ସଫଳ ହେଉଛି। ଏହାଦ୍ୱାରା ବର୍ଷା ଜଳ ସିଧାସଳଖ ରାସ୍ତାକୁ ନ ଆସି ମାଟି ଭିତରକୁ ଶୋଷି ହୋଇଯାଉଛି, ଯାହା ସହରୀ ବନ୍ୟା ଆଶଙ୍କାକୁ ହ୍ରାସ କରିବା ସହ ଦ୍ରୁତଗତିରେ ଭୂତଳ ଜଳସ୍ତରକୁ ବୃଦ୍ଧି କରୁଛି।
୬୯୨ ଏକର ପରିମିତ ଏହି ସୁରକ୍ଷିତ ଜଙ୍ଗଲ ଏକଦା କେବଳ ଏକ ସବୁଜ ପଡ଼ିଆ ହୋଇ ରହି ନ ଥିଲା, ବରଂ ଏହାର ଏକ ବଡ଼ ଇତିହାସ ରହିଛି। ଦିଲ୍ଲୀର ଦକ୍ଷିଣ ପାର୍ଶ୍ୱରେ ଥିବା ଏହି ଅଞ୍ଚଳ ପୂର୍ବରୁ ଏକ ଦ୍ରୁତ ଅବକ୍ଷୟମୁଖୀ ଖଣି ଅଞ୍ଚଳ ଥିଲା, ଯାହାର ୮୦ ପ୍ରତିଶତ ଭାଗ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଲାଲ ଗୋଡ଼ି ମାଟି ବା ମୋରମ ଖନନ ଯୋଗୁ ଗଭୀର ଗାତ ଏବଂ ଆବର୍ଜନା ସ୍ତୂପରେ ପରିଣତ ହୋଇଥିଲା। ବିଗତ ବର୍ଷଗୁଡ଼ିକରେ କରାଯାଇଥିବା ବ୍ୟାପକ ପୁନରୁଦ୍ଧାର କାର୍ଯ୍ୟ ଯୋଗୁ ଏହି ନଷ୍ଟ ହୋଇଯାଇଥିବା ସ୍ଥାନ ଏବେ ଘଞ୍ଚ ଜଙ୍ଗଲ, ତୃଣଭୂମି ଏବଂ ଆର୍ଦ୍ରଭୂମିର ଏକ ସମୃଦ୍ଧ କେନ୍ଦ୍ର ପାଲଟିଛି। ବର୍ତ୍ତମାନ ଏଠାରେ ପଲାଶ, ଶିଶୁ, କଦମ୍ବ ଏବଂ ଧଳା ବାଉଁଶ ଭଳି ପ୍ରାୟ ୮୦ଟି ସ୍ଥାନୀୟ ପ୍ରଜାତିର ୨ ଲକ୍ଷରୁ ଅଧିକ ବୃକ୍ଷ ରହିଛି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦ୍ରୁତ ସହରୀକରଣ ଯୋଗୁ ସବୁଜ ଜାଗା କମୁଥିବା ବେଳେ ଏହି ପାର୍କ ଦିଲ୍ଲୀ ପାଇଁ ଏକ ବଡ଼ କାର୍ବନ ସିଙ୍କ୍ ଅର୍ଥାତ୍ ଅଙ୍ଗାରକାମ୍ଳ ଶୋଷଣ କେନ୍ଦ୍ର ଭାବେ କାମ କରୁଛି। ଏହି ଗଛଗୁଡ଼ିକ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮,୩୬୦ ଟନ୍ କାର୍ବନ ନିଜ ମଧ୍ୟରେ ସଞ୍ଚିତ କରି ରଖିଛନ୍ତି ଏବଂ ପ୍ରତିବର୍ଷ ବାୟୁମଣ୍ଡଳରୁ ଆଉ ୧,୨୩୬ ଟନ୍ କାର୍ବନ ଶୋଷଣ କରୁଛନ୍ତି। ଏହି ପାର୍କ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ଲିଟର ବର୍ଷାଜଳକୁ ପୃଥିବୀ ପୃଷ୍ଠରେ ଧରି ରଖୁଛି, ଯାହା ସହରୀ ବନ୍ୟାକୁ ରୋକିବା ସହ ସିଧାସଳଖ ଭୂତଳ ଜଳ ସ୍ତରର ପୁନଃଭରଣରେ ସାହାଯ୍ୟ କରୁଛି। ବାୟୁ ଶୁଦ୍ଧିକରଣ କ୍ଷେତ୍ରରେ ଏହି ପ୍ରାକୃତିକ ଜଙ୍ଗଲର ଭୂମିକା ଅତୁଳନୀୟ। ପାର୍କରେ ଥିବା ବୃକ୍ଷରାଜି ପ୍ରତିବର୍ଷ ବାୟୁମଣ୍ଡଳରୁ ପ୍ରାୟ ୧୨୬.୮୯ ଟନ୍ ବିଷାକ୍ତ ପ୍ରଦୂଷକ କଣିକା ନିଷ୍କାସନ କରୁଛନ୍ତି, ଯାହାର ଆନୁମାନିକ ପରିବେଶଗତ ଆର୍ଥିକ ମୂଲ୍ୟ ପ୍ରାୟ ୧.୮୯ କୋଟି ଟଙ୍କା।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହ ସମ୍ବନ୍ଧିତ କେନ୍ଦ୍ରୀୟ ପରିବେଶ ପରିଚାଳନା ସଂସ୍ଥା ଏବଂ ସତ୍ୟବତୀ କଲେଜର ଅନୁସନ୍ଧାନକାରୀ ଦଳ ପକ୍ଷରୁ ୨୦୨୩ରେ ପ୍ରାୟ ୫୦୦ ଏକର ଜମିରେ ଏହି ବୃକ୍ଷ ସର୍ଭେ କରାଯାଇଥିଲା। ଗବେଷକମାନେ ଆଧୁନିକ ‘ଆଇ-ଟ୍ରି ଇକୋ ମଡେଲ’ ଏବଂ ସ୍ଥାନୀୟ ପାଣିପାଗ ତଥ୍ୟ ବ୍ୟବହାର କରି ପାର୍କର ପରିବେଶ ଉପକାରିତାକୁ ଆକଳନ କରିଛନ୍ତି। ବଡ଼ ଗଛର ମୋଟା ଗଣ୍ଡି ଏବଂ ବଡ଼ କାନୋପି ବା ପତ୍ର ଗହଳି ବାୟୁମଣ୍ଡଳରୁ ସୂକ୍ଷ୍ମ କଣିକା ପ୍ରଦୂଷଣକୁ ହ୍ରାସ କରିବାରେ ସବୁଠାରୁ ପ୍ରଭାବଶାଳୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହି ଅଧ୍ୟୟନ ସ୍ପଷ୍ଟ କରୁଛି ଯେ ଉଚିତ ଯୋଜନା ମାଧ୍ୟମରେ ଖଣି ପରି ଅବକ୍ଷୟିତ ଭୂମିକୁ ପୁନରୁଦ୍ଧାର କରି ସହରଗୁଡ଼ିକୁ ପରିବେଶଜନିତ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ।