କର୍ଲାମୁଣ୍ଡା,୧୫ା୧୦(ପ୍ରଦୀପ କୁମାର ସାହୁ): ଦୀର୍ଘଦିନର ପ୍ରତୀକ୍ଷା ପରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଯମୁନାପୁର, ତେଲିସରାବାହାଲି ରାସ୍ତାର ଲକ୍ଷ୍ମୀଯୋର ଠାରେ ବ୍ରିଜ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଅନୁମୋଦନ ଜାରି ହେବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।
ବିଭାଗୀୟ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବ୍ରିଜ ସହ ରାସ୍ତା ନିର୍ମାଣ ପାଇଁ ମୋଟ୍ ୧୬୦୦ ମିଟର ଦୈର୍ଘ୍ୟର କାର୍ଯ୍ୟ ନିମନ୍ତେ ୬ କୋଟି ୧୪ ଲକ୍ଷ ୭୩ ହଜାର ୪୨୬ ଟଙ୍କାର ଅଟକଳ ରଖାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିବା ସହ ଲୋକଙ୍କ ଯାତାୟାତ ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି। ବ୍ରିଜ ନିର୍ମାଣ ହେଲେ ଛାତ୍ରୀଛାତ୍ର, ଚାଷୀ, ବ୍ୟବସାୟୀ ଓ ଦୈନନ୍ଦିନ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକେ ଉପକୃତ ହେବେ। ବିଶେଷକରି ବର୍ଷାଦିନେ ଯାତାୟାତରେ ସମସ୍ୟା ଉପୁଜୁଥିଲା, ଏହି ବ୍ରିଜ ନିର୍ମାଣ ତାହାର ସମାଧାନରେ ସହାୟକ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପର ଅନୁମୋଦନକୁ ଅଞ୍ଚଳର ଗମନାଗମନ ଓ ଗ୍ରାମ୍ୟ ଉନ୍ନୟନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଏବେ ଅଞ୍ଚଳବାସୀଙ୍କ ନଜର ରହିଛି ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ଏବଂ କେତେ ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ।
ପ୍ରକାଶଥାଉକି, ସ୍ଥାନୀୟ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଏହି ବ୍ରିଜ୍ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ପ୍ରସ୍ତାବ ଦେଇଥିଲେ ଏବେ ପ୍ରଶାସନ ଅନୁମୋଦନ କରିଥିବାରୁ ସେ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।