Categories: ଜାତୀୟ

ସଦନରେ ଉପଯୁକ୍ତ ଆଚାର-ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ…

ନୂଆଦିଲ୍ଲୀ,୧୭।୧୧: ପାର୍ଲାମେଣ୍ଟ ହେଉ ଅବା ବିଧାନସଭା ସବୁଠାରେ ସଦନରେ ଉପଯୁକ୍ତ ଆଚାର ଏବଂ ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ। ସଦନର ମର୍ଯ୍ୟାଦା ଉଲ୍ଲଂଘନ ପରି କାର୍ଯ୍ୟ ଠିକ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୨ ତମ ଅଖିଳ ଭାରତୀୟ ପୀଠାସୀନ ଅଧିକାରୀ ସମ୍ମିଳନୀ ( ଅଲ୍‌ ଇଣ୍ଡିଆ ପ୍ରିଜାଇଡ଼ିଂ ଅଫିସର କନଫରେନ୍ସ) ରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏଭଳି କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ଅସାଧାରଣ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ଆଗାମୀ ଦିନରେ ଦେଶକୁ ବିକାଶର ନୂତନ ଶିଖରକୁ ନେବାକୁ ପଡିବ। ଏହି ସଂକଳ୍ପଗୁଡିକ କେବଳ ’ସମସ୍ତ ପ୍ରୟାସ’ ଦ୍ୱାରା ପୂରଣ ହେବ। ଭାରତୀୟ ଲୋକତନ୍ତ୍ରରେ ଆମେ ସମସ୍ତଙ୍କର ପ୍ରୟାସ ଉପରେ ଗୁରୂତ୍ୱାରୋପ କରିଥାଉ। ଏପରିସ୍ଥଳେ ସମସ୍ତ ରାଜ୍ୟର ଭୂମିକା ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ମିଳନୀ ପ୍ରତିବର୍ଷ କିଛି ନୂତନ ଆଲୋଚନା ଏବଂ ନୂତନ ସଂକଳ୍ପ ସହ ଆୟୋଜିତ ହୋଇଥାଏ।

୧୯୨୧ରେ ଶିମଲା ଠାରେ ଆରମ୍ଭ ହୋଇଥିବା ଅଲ୍‌ ଇଣ୍ଡିଆ ପ୍ରିଜାଇଡ଼ିଂ ଅଫିସର କନଫରେନ୍ସ ପରମ୍ପରା ଇତିମଧ୍ୟରେ ୧୦୦ବର୍ଷ ପୂରଣ କରିଛି। ଏହା ଭାରତର ଗଣତାନ୍ତ୍ରିକ ବିସ୍ତାରର ପ୍ରତୀକ ଭାବେ ଉଭା ହୋଇଛି। ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ। ଏହା ହଜାର ହଜାର ବର୍ଷର ବିକାଶ ଯାତ୍ରା ଅତିକ୍ରମ କରିଛି। ଆମେ ଏହି ସତ୍ୟକୁ ଗ୍ରହଣ କରିଛୁ ଯେ ବିବିଧତା ମଧ୍ୟରେ ମଧ୍ୟ ଏକତାର ଏକ ମହାନ ଏବଂ ଐଶ୍ୱରୀୟ ଅବିସ୍ମରଣୀୟ ପ୍ରବାହ ପ୍ରବାହିତ ହେଉଛି। ଏକତାର ଏହି ଅବିସ୍ମରଣୀୟ ସ୍ରୋତ, ଆମର ବିବିଧତାକୁ ସମ୍ମାନ କରେ ଏବଂ ଏହାକୁ ସଂରକ୍ଷଣ କରି ସୁରକ୍ଷା ପ୍ରଦାନ କରେ।

ସଦନରେ ହେଉଥିବା ବିତର୍କରେ, ସମ୍ମାନ, ଗମ୍ଭୀରତାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସଦନରେ ଗୋଟିଏ ବର୍ଷରେ ୩-୪ ଦିନ ଏଭଳି ରଖାଯିବା ଆବଶ୍ୟକ, ଯେଉଁ ସମୟରେ ଜନସାଧାରଣ ଏବଂ ସମାଜ ପାଇଁ କିଛି ଭଲ କାମ କରୁଥିବା ପ୍ରତିନିଧୀମାନେ ସେମାନଙ୍କ ଅଭିଜ୍ଞତ ବଖାଣି ପାରିବେ। ଏହା ଦ୍ୱାରା ଅନ୍ୟ ଜନପ୍ରତିନିଧିଙ୍କ ଉତ୍ସାହ ବୃଦ୍ଧି ପାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Share