ଧସିଲା ପୁରୁଣା ପୋଲ ଆପ୍ରୋଚ୍‌ ରାସ୍ତା

ରସୁଲପୁର,୧୭ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ର ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଗନ୍ଧଣ ପଞ୍ଚାୟତ ଏକତଳା ଗ୍ରାମ ସହ ମଧୁବନ ଲକ୍ଷ୍ମୀ ବଜାରକୁ ସଂଯୋଗ କରୁଥିବା ପୁରୁଣା ପୋଲ ଆପ୍ରୋଚ୍‌ ରାସ୍ତା ଧସି ଯାଇଛି। ଫଳରେ ଉକ୍ତ ପୋଲ ଦେଇ ଯାତାୟାତ ଠପ୍‌ ହୋଇଛି। ପୋଲରେ ଯାତାୟାତ ବିପଦସଂକୁଳ ହୋଇପଡ଼ିଥିବାରୁ ବିଭାଗ ପକ୍ଷରୁ ଏହି ବାଟ ଦେଇ ଗମନାଗମନକୁ ବନ୍ଦ କରିଦିଆଯାଇଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପୁରୁଣା ପୋଲ ଦେଇ ଏକତଳା, ବଣ୍ଟରା, ବିଲଶାସନ ଆଦି ଗ୍ରାମର ଶତାଧିକ ଲୋକ ମଧୁବନ ବଜାର, ବିଦ୍ୟାର୍ଥୀମାନେ ମଧୁବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯା-ଆସ କରୁଛନ୍ତି। ମୂଳ ଖରସ୍ରୋତା ଉପରେ ନିର୍ମାଣ ହୋଇଥିବା ଏହି ପୋଲକୁ ବିଭାଗ ପକ୍ଷରୁ ଅକାମି ଦର୍ଶାଇ ସେହି ସ୍ଥାନରେ ନୂତନ ପୋଲ କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ ସମୟରେ ଠିକା ସଂସ୍ଥା ପକ୍ଷରୁ ପୁରୁଣା ପୋଲରେ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାପ୍ରତି ଧ୍ୟାନ ଦେବା ନିୟମ ରହିଛି। ମାତ୍ର ପୁରୁଣା ପୋଲକୁ ସୁରକ୍ଷା ଦିଆ ନ ଯାଇ ଠିକାସଂସ୍ଥା ପକ୍ଷରୁ ନୂତନ ପୋଲ କାର୍ଯ୍ୟ ଚାଲୁ ରଖାଯିବା ସହ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ପୋଲର ପିଲାର ଖୋଳିବା ସମୟରେ ମେଶିନରେ କମ୍ପନ ସୃଷ୍ଟି ହୋଇ ପୁରୁଣା ପୋଲର ଆପ୍ରୋଚ୍‌ ରାସ୍ତା ଧସି ଯାଇଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ନାପସନ୍ଦ କରିଛନ୍ତି। ଏ ସମ୍ପର୍କରେ ବିଭାଗକୁ ଅବଗତ କରାଯିବା ପରେ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଠିକା ସଂସ୍ଥା ପକ୍ଷରୁ ଆପ୍ରୋଚ ରାସ୍ତା ମରାମତି ଆରମ୍ଭ ହୋଇଛି। ଶୁକ୍ରବାର ମରାମତି ଶେଷ କରାଯାଇ ପୁରୁଣା ପୋଲରେ ଯାତାୟାତ ସ୍ବଭାବିକ କରାଯିବ ବୋଲି ଯନ୍ତ୍ରୀ ମହାରଣା ପ୍ରକାଶ କରିଛନ୍ତି।