ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ ଅଞ୍ଚଳରୁ ବନ୍ୟାଜଳ ସମ୍ପୂର୍ଣ୍ଣ ହଟିନାହିଁ। ଏଭଳି ସ୍ଥିତିରେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ମୁରାଶୁ’କୁ ନେଇ ଆଶଙ୍କା ଦେଖାଦେବା ପରେ ସତର୍କ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ପ୍ରଶାସନ। ସମ୍ଭାବ୍ୟ ବିପଦର ମୁକାବିଲା କରିବା ସହ ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି।
ପୁରୁଷୋତ୍ତମପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ରାତିରେ ଛତ୍ରପୁର ଉପଜିଲ୍ଲାପାଳ ଡ. ଶିବାଶିଷ ବରାଳଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷକରି ପୂର୍ବ ବନ୍ୟାରେ ପ୍ରଭାବିତ ହୋଇଥିବା ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଶାସନିକ ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଏନ୍ଏସି ପକ୍ଷରୁ ଏପର୍ଯ୍ୟନ୍ତ ୧୨୦୦ ଜଣଙ୍କୁ ଏବଂ ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ହଜାର ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ର ୩ଟି ଟିମ୍, ଅଗ୍ନିଶମ ବାହିନୀର ୨ଟି ଟିମ୍ ସହ ୫ଟି ବୋଟ୍ ପ୍ରସ୍ତୁତ ରଖାଯାଇଛି।
ପୂର୍ବ ବନ୍ୟାର ଦୁର୍ଦ୍ଦଶା ଓ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏଥର ଯେପରି କୌଣସି ଜୀବନହାନି ନ ଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷାମୂଳକ ପଦକ୍ଷେପ ଜାରି ରହିଛି ବୋଲି ଉପଜିଲାପାଳ କହିଛନ୍ତି।
ବୈଠକରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏନ୍ଏସି ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ, ଆଇଆଇସି କୁଳମଣି ସେଠୀ, ବିଡିଓ ଦେବାଶିଷ ସାମଲ, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ୍ର ପୂର୍ବତନ ବିଡିଓ ବିରଞ୍ଚିନାରାୟଣ ବେହେରା, ବାଲୁଗାଁ ଏନ୍ଏସିର ନିର୍ବାହୀ ଅଧିକାରୀ ନିହାର ରଞ୍ଜନଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।