ପରିମଳ ପରିଚାଳନାକୁ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୨।୪: ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ଢେଙ୍କାନାଳ ପରିଦର୍ଶନରେ ଆସି ପରିମଳ ପରିଚାଳନା, ଗଠନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରକ୍ରିୟା ଏବଂ ଏହାର ପରିଚାଳନାକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
ଜିଲା କାର୍ଯ୍ୟାଳୟରେ ଜିଲାପାଳ ସରୋଜ କୁମାର ସେଠୀ ସେମାନଙ୍କୁ ସ୍ବାଗତ କରିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଟ୍ରାନ୍ସଜେଣ୍ଡରମାନଙ୍କ ଦ୍ୱାରା କିଭଳି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି, ସେ ନେଇ ବୁଝାଇଥିଲେ। ଏଥିସହ ଢେଙ୍କାନାଳର ଭୌଗୋଳିକ ସ୍ଥିତି, ପ୍ରଶାସନିକ ବ୍ୟବସ୍ଥା ଏବଂ ଏହାର ପ୍ରାକୃତିକ ବୈଭବ ସମ୍ପର୍କରେ ଅବଗତ କରାଇଥିଲେ। ପୌରାଞ୍ଚଳ ବାସିନ୍ଦାଙ୍କ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ମୁକ୍ତା ଯୋଜନା, ବିଜୁ ଆଦର୍ଶ କଲୋନୀ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯାଉଥିବା ସମ୍ପର୍କରେ ଜିଲାପାଳ ସୂଚନା ଦେଇଥିଲେ। ବର୍ଜ୍ୟବସ୍ତୁ ପରିଚାଳନାରୁ ଆର୍ଥିକ ଲାଭ ଏବଂ ମହିଳାମାନେ ଆତ୍ମନିର୍ଭରଶୀଳ ହେଉଥିବା ଜାଣିବା ପରେ ଢେଙ୍କାନାଳ ପୌରପାଳିକାର ଅଭିନବ ପ୍ରୟାସକୁ ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀ ଦଳ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ବସ୍‌ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର, ମହିଷାପାଟସ୍ଥିତ ମଳପଙ୍କ ପରିଚାଳନା କେନ୍ଦ୍ର, କାଠଗଡ଼ାସ୍ଥିତ ସମ୍ପଦ କେନ୍ଦ୍ର, କଣ୍ଟାନାଳୀ ବାଇପାସ୍‌ସ୍ଥିତ ଆଚାର ଉଦ୍ୟୋଗ ଆଦି ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ।
ଡିଏମ୍‌ଏର କମିଶନର ତଥା ନିର୍ଦ୍ଦେଶକ ଡ. କିରନ୍‌ କୁଲକର୍ଣ୍ଣୀ, ଜଏଣ୍ଟ କମିଶନର ଅନିଲ ମ୍ୟୁଲେ, ଶଙ୍କର ଗୋରେ, ଆର୍‌ଡିଏମ୍‌ଏର ଜଏଣ୍ଟ କମିଶନର ପୁନମ ମେହେଟ୍ଟା, ରବୀନ୍ଦ୍ର ଯାଦବ, ଡେପୁଟି କମିଶନର ରୋହିଦାସ ଦୋରକୁଲ୍‌କର, ପୁନେ କର୍ପୋରେଶନର ଡେପୁଟି କମିଶନର ଆଶା ରାଉତ, ଷ୍ଟେଟ୍‌ ମିଶନ ମ୍ୟାନେଜର ପ୍ରସାଦ ରାଜଭୋସ୍‌ଲେ, ଏସ୍‌ଏମ୍‌ଏମ୍‌ୟୁର ମୁଖ୍ୟ ପ୍ରସନ୍ନ ମହାରଣା ପ୍ରମୁଖ ପରିଦର୍ଶନରେ ଆସିଥିଲେ। ସେମାନଙ୍କୁ ଜିଲାପାଳ ସେଠୀ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ନିର୍ବାହୀ ଅଧିକାରୀ ତରୁଣ ମହାପାତ୍ର, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୁଖ ସ୍ବାଗତ କରିଥିଲେ।