୧୮ରୁ ଆବେଦନ, ୨୪ରେ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଖାଲି ପଡ଼ିଥିବା ସିଟ୍‌ରେ ଏହି ନାମଲେଖା ହେବ। ଏଥିପାଇଁ ଆସନ୍ତା ୧୮ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଓ୍ବେବ୍‌ସାଇଟ୍‌ www.samsodisha.gov.inରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ୨୨ ତାରିଖ ରାତି ୧୧ଟା ୫୫ ସୁଦ୍ଧା ଆବେଦନ କରିବେ। ୨୪ ତାରିଖ ଅପରାହ୍ନ ୩ଟାରେ ମେରିଟ୍‌ ଓ ଓ୍ବେଟିଂ ଲିଷ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୨୫ ତାରିଖ ସକାଳ ୧୦ଟାରୁ ୨୬ ତାରିଖ ଅପରାହ୍ନ ୪ଟା ସୁଦ୍ଧା ନାମ ଲେଖାଇବେ। ୨୬ ତାରିଖ ଅପରାହ୍ନ ୪ଟା ୧୫ରୁ ୨୭ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଓ୍ବେଟିଂ ଲିଷ୍ଟରେ ଥିବା ଛାତ୍ରୀଛାତ୍ରମାନେ ନାମ ପଞ୍ଜୀକରଣ କରିବେ ଓ ସେହିଦିନ ଅପରାହ୍ନ ୪ଟାରେ ପଞ୍ଜୀକୃତ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହି ଛାତ୍ରୀଛାତ୍ରମାନେ ୨୭ ତାରିଖ ଅପରାହ୍ନ ୪ଟାରୁ ୨୯ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ। ତେବେ ଯେଉଁ ପିଲାମାନେ ପ୍ରଥମ କରି ଆବେଦନ କରିବେ ସେମାନେ www.samsodisha.gov.inରେ ନିଜର ଫୋନ୍‌ ନମ୍ବର ଓ ଇମେଲ୍‌ ଠିକଣା ଦେଇ ନାମ ପଞ୍ଜୀକରଣ କରିବେ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।