ପ୍ରାର୍ଥତ୍ପତ୍ର ଦାଖଲ ଏପ୍ରିଲ ୪ରୁ

ସୋନପୁର,୨୮।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ପଞ୍ଚାୟତ ଓ ତରଭା ବ୍ଲକର କଟାପାଲି ପଞ୍ଚାୟତରେ ସମିତି ସଭ୍ୟ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନ ଗତ ୨୩ ତାରିଖରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୨୩ଟି ଓ୍ବାର୍ଡ ବିଶିଷ୍ଟ ଖଣ୍ଡହତା ପଞ୍ଚାୟତର ଭୋଟରଙ୍କ ସଂଖ୍ୟା ୭୨୭୪। ସେହିପରି ୧୧ ଓ୍ବାର୍ଡ ବିଶିଷ୍ଟ କଟାପାଲି ପଞ୍ଚାୟତର ଭୋଟରଙ୍କ ସଂଖ୍ୟା ୨୦୬୫। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଦୁଇ ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଏପ୍ରିଲ ୪ ତାରିଖରୁ ୬ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବେ। ୧୦ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୧୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଅପରାହ୍ନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମେ ୨ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ମେ ୪ ତାରିଖରେ ଗଣତି ଓ ସେହିଦିନ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ଅଧିକାରୀ ଭାବେ ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ଓ ତରଭା ବିଡିଓ ବିନୟ କୁମାର ପଟେଲଙ୍କୁ ନିଯୁକ୍ତ କରାଯାଇଛି। ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତରଭା ଓ ବୀରମହାରାଜପୁର ବ୍ଲକରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି।
ଗତ ପଞ୍ଚାୟତ ନିର୍ବାଚନରେ ସରୋଜ କୁମାର କମ୍ପ ତରଭା ବ୍ଲକର କଟାପାଲି ଓ ଜରାଜାରିଙ୍ଗ ପଞ୍ଚାୟତରେ ସମିତି ସଭ୍ୟଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଉଭୟ ପଞ୍ଚାୟତରୁ ନିର୍ବାଚନରେ ବିଜୟ ଲାଭ କରି ପରବର୍ତ୍ତୀ ସମୟରେ ବ୍ଲକ ଅଧ୍ୟକ୍ଷ ହୋଇଥିଲେନ୍ଦ୍‌। ଗତ ତା୧୦ା୩ା୨୦୨୨ରିଖରେ କମ୍ପ କଟାପାଲି ସମିତି ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନଠାରୁ ପଞ୍ଚାୟତର ସମିତି ସଭ୍ୟ ପଦ ଖାଲି ପଡିଥିଲା। ସେହିପରି ତନୁଜା ରଣବଂଶିଆ ବୀରମହାରାଜପୁର ବ୍ଲକର ଖଣ୍ଡହତା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଅଙ୍ଗନଓ୍ବାଡି କର୍ମୀ ଭାବେ ନିଯୁକ୍ତି ପାଇବା ପରେ ତନୁଜା ଗତ ତା୩୧ା୧ା୨୦୨୩ରିଖରେ ସମିତି ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଫଳରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।