ଏନ୍‌ଟିଏସ୍‌, ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର,୨୯। ୧୦ (ବ୍ୟୁରୋ): ୨୦୨୦-୨୦୨୧ର ନ୍ୟାଶନାଲ ଟ୍ୟାଲେଣ୍ଟ ସର୍ଚ୍ଚ (ଏନ୍‌ଟିଏସ୍‌) ଓ ନ୍ୟାଶନାଲ ମିନ୍ସ କମ୍‌ ମେରିଟ୍‌ ସ୍କଲାରସିପ୍‌ (ଏନ୍‌ଏମ୍‌ଏମ୍‌ଏସ୍‌) ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଏ ନେଇ ବୁଧବାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏହି ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଅକ୍ଟୋବର ୨୮ତାରିଖ ରହିଥିଲା। କିନ୍ତୁ କୋଭିଡ୍‌-୧୯ ଓ ଛୁଟିଦିନ ପାଇଁ ଅନେକ ଯୋଗ୍ୟ ଛାତ୍ରୀଛାତ୍ର ଆବେଦନ କରିପାରି ନ ଥିବାରୁ ଫର୍ମ ପୂରଣ ଅବଧିକୁ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ସେହିପରି ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ସ୍ତରରେ ଓ ୭ ତାରିଖ ମଧ୍ୟରେ ଜିଲା ସ୍ତରରେ ଯାଞ୍ଚ କରାଯିବ। ଆବେଦନ ଅବଧି ସମ୍ପର୍କରେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ଜଣାଇବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।