ରୁଷିଆ ବିରୋଧରେ ଆପଲର ବଡ଼ ପଦକ୍ଷେପ

ଓ୍ବାଶିଂଟନ୍‌,୨।୩: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ଆଇଫୋନ ଓ ଆଇମେକ୍‌ କମ୍ପ୍ୟୁଟର ଭଳି ଉତ୍ପାଦ ତିଆରି କରୁଥିବା ଆମେରିକାର ବେଶ୍‌ ନାଁକରା ଟେକ କମ୍ପାନୀ ଆପଲ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରୁଷିଆରେ ନିଜର କୌଣସି ଉତ୍ପାଦ ବିକ୍ରୟ ନ କରିବାକୁ ଆପଲ ନିଷ୍ପତ୍ତି ନେଇଛି। ଏହା ସହିତ କମ୍ପାନୀ ସଫ୍ଟଓ୍ବେର ଫିଚର, ସେନ୍ସରିଂ ଆପ୍‌, ସେଲ୍‌ ଓ ଏହାର ସମସ୍ତ ସେବା ଉପରେ ନିଷେଧାଦେଶ ଜାରି କରିଛି। ମଙ୍ଗଳବାର, ଆପଲ ପକ୍ଷରୁ ଏସମ୍ପର୍କରେ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଗତ ସପ୍ତାହରେ ରୁଷିଆକୁ ଆପଲ ପେ ଏବଂ ଅନ୍ୟାନ୍ୟ ସେବା ସମେତ ନିଜର ଉତ୍ପାଦର ରପ୍ତାନିକୁ ବନ୍ଦ କରିଦିଆଯାଇଛି। ଅର୍ଥାତ୍‌ ମାର୍ଚ୍ଚ୧ରୁ ରୁଷିଆରେ କମ୍ପାନୀ ନିଜର ସମସ୍ତ ଉତ୍ପାଦ ବନ୍ଦ କରିଦେଇଛି। ଏଥିସହ ଆପଲ ଏହାର ଆପ ଷ୍ଟୋରରୁ ରୁଷିଆର ନ୍ୟୁଜ ଆପ୍‌ ଆରଟି ଏବଂ ସ୍ପୁଟନିକ ନ୍ୟୁଜ୍‌କୁ ମଧ୍ୟ ହଟାଇଦେଇଛି। ବର୍ତ୍ତମାନେ ଏହି ଆପ୍‌ ଆଉ ଡାଉନଲୋଡ ହୋଇପାରିବ ନାହିଁ। ୟୁକ୍ରେନରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆପଲ ମାନଚିତ୍ରରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଯେପରିକି ୟୁକ୍ରେନର ଟ୍ରାଫିକ୍‌ ଓ ଲାଇଭ୍‌ ଘଟଣାଗୁଡ଼ିକ ଆପଲ ମ୍ୟାପରେ ଆଉ ଦେଖାଯିବ ନାହିଁ। ଅନ୍ୟପଟେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ଆପଲ ଚିନ୍ତା ବ୍ୟକ୍ତ କରିଛି। ଏଥିସହ କମ୍ପାନୀ ୟୁକ୍ରେନରେ ହିଂସା ପୀଡ଼ିତଙ୍କୁ ସମର୍ଥନ କରିବା ସହ ଶାନ୍ତି ସପକ୍ଷରେ ରହିଛି ବୋଲି କହିଛି। ତେବେ ଶରଣାର୍ଥୀଙ୍କ ସହାୟତା ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

 

Share