Categories: ଜାତୀୟ

‘ପେଗାସସ୍’ ଭଳି ସାଇବର ଆକ୍ରମଣ ପାଇଁ ଭାରତ ସମେତ ୯୧ ଟି ଦେଶରେ ୟୁଜରଙ୍କୁ ଚେତାବନୀ ଦେଲା ଆପଲ

ନୂଆଦିଲ୍ଲୀ,୧୧।୪: ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଯାହା ପୁଣିଥରେ ଏକ ବଡ଼ ବିବାଦ ସୃଷ୍ଟି କରିଛି।

ଏହି ନୂତନ ଚେତାବନୀ, ଭାରତରେ ଉପଭୋକ୍ତାମାନେ ମଧ୍ୟ ପାଇଛନ୍ତି। ସେମାନଙ୍କର ଗୋପନୀୟତା ଏବଂ ତଥ୍ୟ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ବିଷୟରେ ୟୁଜର୍ମାନଙ୍କୁ ଚେତାବନୀ ଦେବାର ଏକ ଅଂଶ।

ଅକ୍ଟୋବର ୨୦୨୩ ରେ, ଆପଲ୍ କଂଗ୍ରେସର ଶଶି ଥରୁର, ଆମ୍ ଆଦମୀ ପାର୍ଟିର ରାଘବ ଚଡ୍ଡା ଏବଂ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ରାଙ୍କ ସମେତ ଦେଶର ବିଭିନ୍ନ ଦଳର ରାଜନୈତିକ ନେତାମାନଙ୍କୁ ସମାନ ବିଜ୍ଞପ୍ତି ପଠାଇଥିଲା। ସେମାନଙ୍କୁ ଟାର୍ଗେଟ କରି ଏକ “ସମ୍ଭାବ୍ୟ ରାଜ୍ୟ ପ୍ରାୟୋଜିତ ଗୁପ୍ତଚର ଆକ୍ରମଣ” ବିଷୟରେ ଚେତାବନୀ ଦିଆଯାଇଥିଲା।

୨୦୨୧ ମସିହାରେ ସୁପ୍ରିମକୋର୍ଟ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରି ଇସ୍ରାଏଲ୍ ଫାର୍ମ ଏନଏସଓ ଗ୍ରୁପ୍ ଦ୍ୱାରା ବିକଶିତ ପେଗାସସ୍ ସଫ୍ଟୱେର୍ ବ୍ୟବହାର କରି ଅନଧିକୃତ ନୀରିକ୍ଷଣ ଅଭିଯୋଗର ଯାଞ୍ଚ କରିଥିଲେ।

ଅଗଷ୍ଟ ୨୦୨୨ ରେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ସିଦ୍ଧାନ୍ତ ନେଇଥିଲା ଯେ ଯାଞ୍ଚ କରାଯାଇଥିବା ୨୯ ଟି ମୋବାଇଲ୍ ଫୋନରେ ସ୍ପାଏୱେୟାର ମିଳିନଥିଲା, କିନ୍ତୁ ପାଞ୍ଚଟି ମୋବାଇଲ୍ ଫୋନରେ ମାଲୱେୟାର ମିଳିଥିଲା।

 

Share