‘୧୭ରେ ବ୍ୟକ୍ତିଗତ ଭାବେ ହାଜର ହୁଅ’

କଟକ ଅଫିସ,୩।୮: ଜଣେ ଅଧ୍ୟାପକଙ୍କୁ ବକେୟା ପ୍ରାପ୍ୟ ମାମଲାରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ସୋମବାର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ହାଜର ନ ହୋଇ କାହିଁକି କ୍ରମାଗତ ଓ ଇଚ୍ଛାକୃତ ଭାବେ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି, ତା’ର କାରଣ ଦର୍ଶାଇବେ ଏବଂ ଅଦାଲତ ଅବମାନନା ନିୟମାନୁଯାୟୀ କାହିଁକି ଦଣ୍ଡିତ ନ ହେବେ ବୋଲି ହାଇକୋର୍ଟ ନୋଟିସ ମାଧ୍ୟମରେ ପ୍ରଶ୍ନ କରିଛନ୍ତି। ଏଥିସହ ଅଗଷ୍ଟ ୧୭ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଦିନ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ୱନାଥ ରଥ ଏହି ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଟି. ବାରିକ ମାମଲା ପରିଚାଳନା କରୁଛନ୍ତି।
ସୂଚନା ଅନୁଯାୟୀ, ଆବେଦନକାରୀ ବାଲିଗୁଡ଼ା ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ବିଦ୍ୟୁତାନନ୍ଦ ବସ୍ତିଆଙ୍କୁ ତାଙ୍କ ବକେୟା ପ୍ରାପ୍ୟ ସୁଧହାରରେ ପ୍ରଦାନ ପାଇଁ ୨୦୧୫ ମସିହାରେ ହାଇକୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ, ବକେୟା ପ୍ରାପ୍ୟ ଦିଆଯାଇଛି। ଏହାର ସୁଧ ୨ସପ୍ତାହ ମଧ୍ୟରେ ଦିଆଯିବାକୁ ପ୍ରକ୍ରିୟା ଚାଲିଛି। କିନ୍ତୁ ସୁଧରାଶି ନ ପାଇବାରୁ ଆବେଦନକାରୀ ପୁଣି ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଗତ ୩୦ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ସେଦିନ ସୁଦ୍ଧା ଉକ୍ତ ଶିକ୍ଷକଙ୍କ ବକେୟା ପ୍ରାପ୍ୟ ମିଳି ନ ଥିଲା। ଫଳରେ ତୃତୀୟ ଥର ପାଇଁ ଅଦାଲତ ଅବମାନନା କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଆସନ୍ତା ୧୭ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।