Categories: ଜାତୀୟ

ସ୍କୁଲ ବନ୍ଦ କରିବାକୁ ଅପିଲ୍‌

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟିକୁ ଘେରି ରହି ସ୍କୁଲ ବନ୍ଦ କରିବାକୁ ଅପିଲ୍‌ କରିଛି। କେବଳ ଏତିକି ନୁହେଁ, ଶୁକ୍ରବାର ସକାଳେ ଏକ ଖବରଦାତା ସମ୍ମିଳନୀରେ ଦିଲ୍ଲୀ ଭାଜପା ମୁଖ୍ୟ ଆଦେଶ ଗୁପ୍ତା ଅରବିନ୍ଦ କେଜ୍‌ରିୱାଲଙ୍କୁ ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀ ଆଖ୍ୟା ଦେଇଥିଲେ। ସେ ସ୍କୁଲ ବନ୍ଦ ନ କରି ପିଲାମାନଙ୍କ ଜୀବନ ସହିତ ଖେଳୁଛନ୍ତି। ଯଦି ଦିଲ୍ଲୀ ସରକାର ସ୍କୁଲ ବନ୍ଦ ନକରନ୍ତି ତେବେ ଭାରତୀୟ ଜନତା ପାର୍ଟି ରାସ୍ତାକୁ ଓହ୍ଲାଇବ ବୋଲି ଆଦେଶ ଚେତାବନୀ ଦେଇଥିଲେ।
ଆଦେଶ ଗୁପ୍ତା କହିଛନ୍ତି, ଅରବିନ୍ଦ କେଜ୍‌ରିୱାଲ ନିଶ୍ଚିତ ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, କିନ୍ତୁ ସେ ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀ, କାରଣ ସେ ଦିଲ୍ଲୀ ଅପେକ୍ଷା ସମଗ୍ର ଦେଶରେ ରୁହନ୍ତି। ସେ ଦିଲ୍ଲୀର ଲୋକଙ୍କ ପାଇଁ ଚିନ୍ତିତ ନୁହଁନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ ମଧ୍ୟରେ ୩୬୦୦ ରୁ ଅଧିକ ନଡା ଜଳିବା ଘଟଣା ଘଟିଛି। ଏହି ମୁଖ୍ୟମନ୍ତ୍ରୀ ନଡ଼ା ଉପରେ ଜ୍ଞାନ ଦେଉଥିଲେ, ନଡାରୁ ଅନେକ କିଛି ହୋଇପାରେ। ଯଦି ଆମେ ପଞ୍ଜାବରେ କ୍ଷମତାକୁ ଆସିବୁ, ବହୁତ କିଛି କରିପାରିବୁ। କିନ୍ତୁ କ୍ଷମତାକୁ ଆସିବା ପରେ ଫଳ ଶୂନ।
ସୂଚନାଯୋଗ୍ୟ, ଶୀତଋତୁ ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କଲାଣି। ଦୂଷିତ ବାୟୁ ଯୋଗୁ ରାଜଧାନୀରେ କାଶ, ଥଣ୍ଡା, ଆଜ୍‌ମା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ କିଛିଦିନ ହେଲା ରୋଗୀ ସଂଖ୍ୟା ଯଥେଷ୍ଟ ବଢ଼ିଥିବା ଦେଖାଯାଇଛି। ବାୟୁ ପ୍ରଦୂଷଣ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିବାରୁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଲାଗି ଡାକ୍ତର ପରାମର୍ଶ ଦେଉଛନ୍ତି। ଗୁରୁବାର ପୂର୍ବାହ୍ନରେ ଦିଲ୍ଲୀର ମୋଟାମୋଟି ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୨୬ ରହିଥିଲା।

Share