ବଲାଙ୍ଗୀର, ୧୨।୧ (ସୁନିଲ କୁମାର ମହାନ୍ତି): ଚାଷୀମାନେ ନଟଙ୍ଗି କରୁଛନ୍ତି ବୋଲି ବରଗଡ଼ ଧନୁଯାତ୍ରା ମଞ୍ଚରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ। ଯାହାକୁ ନେଇ ଏବେ ତାତିଛନ୍ତି ମିଳିତ କୃଷକ ମଞ୍ଚ। ସୋନପୁର ଲୋକ ଉତ୍ସବ ମଞ୍ଚରେ ଚାଷୀଙ୍କୁ ଦଲାଲ କହି ଦଳୀୟ ଗୁଣ୍ଡା ଲଗାଇ ମାଡ଼ ମାରିଲେ। ଏପରିକି ଉପମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ କ୍ରମାଗତ ଭାବେ ଅପମାନିତ କରିଚାଲିଛନ୍ତି। ମିଳିତ କୃଷକ ମଞ୍ଚ ଏହାକୁ ଘୋର ନିନ୍ଦା କରିବା ସହ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତି ପ୍ରତ୍ୟାହାର ନ କଲେ ଓ କ୍ଷମା ପ୍ରାର୍ଥନା ନ କଲେ ଆଗାମୀ ଦିନରେ ମିଳିତ ମଞ୍ଚ ବଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଖବରଦାତା ସମ୍ମିଳନୀରେ କୃଷକ ମଞ୍ଚ ଆବାହକ ଆକାଶ ମିଶ୍ର, ଯତି ପ୍ରଧାନ, ଚଗଲା ପରିଚ୍ଛା, ହିମାଂଶୁ ଶେଖର ସାହୁ, କୌସ୍ତୁଭ ସାହୁ, ବିଭୁଦତ୍ତ ମିଶ୍ର, ମଧୁସୂଦନ ଖେତି ଉପସ୍ଥିତ ଥିଲେ।


