Categories: ଖେଳ

ପୁରୁଣା ଫର୍ମକୁ ଆସିଲେ ଶହେ କ’ଣ, ୩୦୦ରନ୍‌ କରିଦେବେ କୋହଲି: କପିଲ ଦେବ

ନୂଆଦିଲ୍ଲୀ,୧୬।୯: ଦୀର୍ଘ ସମୟ ଧରି ଶତକ ମାରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତ ବେଳେ ସେ ଭଲ ବ୍ୟାଟିଂ କରିଥିଲେ ହେଁ ଶତକ କରିପାରିନଥିଲେ। ଦୁଇ ବର୍ଷ ପୂର୍ବେ ସେ ଶତକ ମାରିଥିଲେ। ଏବେ ଏହାକୁ ନେଇ ‘ରନ୍‌ ମେସିନ୍‌’ ଓରଫ କୋହଲିଙ୍କ ଚର୍ଚ୍ଚା ହେଉଛି।ଅଧିନାୟକ ଥିବା ଯୋଗୁ ସେ ବଡ଼ ପାଳି ଖେଳିପାରୁ ନ ଥିବା କିଛି ଲୋକ କହୁଥିବା ବେଳେ କିଛି ସେ ପୁନର୍ବାର ଫର୍ମକୁ ଫେରିବେ ବୋଲି କହୁଛନ୍ତି। ଏବେ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ପୂର୍ବତନ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ। କୋହଲି ଯଦି ପୁରୁଣା ଫର୍ମକୁ ଫେରିଆସନ୍ତି ତେବେ ସେ ୩୦୦ ରନ୍‌ ମଧ୍ୟ କରିପାରନ୍ତି କପିଲ କହିଛନ୍ତି।

ଅଧିନାୟକଙ୍କୁ ସମାଲୋଚକଙ୍କୁ କପିଲ କହିଛନ୍ତି, କୋହଲି ଭାରତ ପାଇଁ ମ୍ୟାଚ୍‌ ଜିତିଥିବା ଶତକୀୟ ପାଳି ଖେଳିଛନ୍ତି। ଯେବେଠାରୁ ସେ ସମସ୍ତ ଫର୍ମାଟର ଭାରତୀୟ ଅଧିନାୟକ ହେଲେ ସେ ଭଲ ଫର୍ମରେ ରହିଥିଲେ। ଏବେ ହଠାତ୍‌ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନ ଥିବା କାରଣରୁ ତାଙ୍କୁ କଟାକ୍ଷ କରାଯାଉଛି। ସେ ଯେତେବେଳେ ଦ୍ୱିଶତକ, ଶତକ ମାରିଥିଲେ ଚାପରେ ନ ଥିଲେ? ଏହାର ଅର୍ଥ ତାଙ୍କର ଅଧିନାୟକତ୍ୱ ଉପରେ ପ୍ରଶ୍ନ ନ ଉଠାଇ ତାଙ୍କ କ୍ଷମତା ଦେଖିବା ଉଚିତ।

ଗ୍ରାଫ ଖସିଛି ସତ, ହେଲେ କେବେ ଯାଏ? ୨୮ରୁ ୩୨ ବର୍ଷ ବୟସ ଆକାଶକୁ ଛୁଇଁବାର ବୟସ। ସେ ଏବେ ଅନୁଭବୀ ଏବଂ ପରିପକ୍ୱ ହୋଇଛନ୍ତି। ସେ ଯଦି ପୁରୁଣା ଫର୍ମକୁ ଫେରିଆସିଲେ ତେବେ ସେ କେବଳ ଶତକ କିମ୍ବା ଦ୍ୱିଶତକ ନୁହେଁ ବରଂ ୩୦୦ ରନ୍‌ର ପାଳି ଖେଳି ଦେଖାଇଦେବେ। ସେ ବେଶ୍‌ ଫିଟ୍‌ ମଧ୍ୟ। ସେ ନିଜକୁ ଜାଣି ବଡ଼ ପାଳି ଖେଳିବାର ଆବଶ୍ୟକତା ରହିଛି ବୋଲି କପିଲ କହିଛନ୍ତି।

Share