ପଞ୍ଚକୁଲାରେ ୯ କୋଟିର ଘର, ଦିନକୁ ଦିନ ବଢ଼ିଚାଲିଛି ସମ୍ପତ୍ତି

ବମ୍ବେ: ଭାଇ ଆୟୁଷ୍ମାନ ଖୁରାନ୍ନାଙ୍କ ଭଳି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅପାରଶକ୍ତି ଖୁରାନ୍ନା। ଆମିର ଖାନ୍‌ଙ୍କ ଫିଲ୍ମ ‘ଦଙ୍ଗଲ୍‌’ରୁ ସେ କରିଥିଲେ ଡେବ୍ୟୁ। ଏହାପରଠାରୁ ପଛକୁ ଫେରି ଚାହିଁନାହାନ୍ତି ସେ। ନିଜର ପ୍ରତିଭା ଯୋଗୁ ‘ବଦ୍ରିନାଥ କି ଦୁଲହନିଆ’, ‘ସ୍ତ୍ରୀ’, ‘ଲୁକ୍କା ଛୁପ୍ପି’ ଏବଂ ‘ବାଲା’ ଭଳି ହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ଆଜି ଏହି ଅଭିନେତାଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

୧୯୮୭ ନଭେମ୍ବର ୧୮ରେ ଚଣ୍ଡିଗଡ଼ରେ ଅପାରଶକ୍ତିଙ୍କ ଜନ୍ମ। ୨୦୧୪ରେ ସେ ଆକୃତି ଆହୁଜାଙ୍କୁ ବିବାହ କରିଥିଲେ। ଚଣ୍ଡିଗଡ଼ର ଏକ ଡ୍ୟାନ୍ସ କ୍ଲାସରେ ଆକୃତିଙ୍କୁ ଭେଟିଥିଲେ ସେ। ଉଭୟ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ଏହାପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ନିଜର ପରିଶ୍ରମ ବଳରେ ଅପାରଶକ୍ତି ମୋଟା ଅଙ୍କର ରୋଜଗାର କରି ଆସୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସେ ୫୦ ମିଲିୟନ ଡଲାର ସମ୍ପତିର ମାଲିକ। ଫିଲ୍ମ ଛଡ଼ା ସେ ବିଜ୍ଞାପନରୁ ମଧ୍ୟ ରୋଜଗାର କରୁଛନ୍ତି। କିଛି ଦିନ ପୂର୍ବେ ସେ ଭାଇଙ୍କ ସହ ମିଶି ପଞ୍ଚକୂଳାରେ ୯ କୋଟି ଟଙ୍କାର ଘର କିଣିଛନ୍ତି। ଦିନକୁ ଦିନ ଏହି ଅଭିନେତାଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି।

Share