ମୋଦିଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର,୬ା୪(ବ୍ୟୁରୋ): ନୂଆଦିଲ୍ଲୀଠାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁବନେଶ୍ୱର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ସେ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଫଟୋ ମଙ୍ଗଳବାର ଟୁଇଟରରେ ଶେୟାର କରଛନ୍ତି। ଏଥିସହ ସେ ଲେଖିଛନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ତାଙ୍କୁ ପ୍ରେରଣା ଯୋଗାଇଛି। ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ। ଲୋକମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି। ହେଲେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ସେ ବିଷୟରେ କିଛି କହିନାହନ୍ତି। ତେବେ ଅପରାଜିତା ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନେଇ ରାଜ୍ୟ ଭାଜପା ରାଜନୀତି ସରଗରମ ହୋଇଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ରାଜ୍ୟ ନେତୃତ୍ୱକୁ ସୁଦୃଢ଼ କରିବା ନେଇ ଅପରାଜିତା ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ। ରାଜ୍ୟ ନେତୃବୃନ୍ଦ ଦିଲ୍ଲୀ ଗସ୍ତ କରିବା ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ସାକ୍ଷାତ କରିଥିଲେ।
ଏହାପରେ ଭାଜପା ବିଧାୟକମାନେ ମିଳିତ ଭାବେ ଦିଲ୍ଲୀ ଗସ୍ତ କରିଥିଲେ। ଏହାକୁ ନେଇ ଦଳୀୟ ରାଜନୀତି ସରଗରମ ହୋଇଥିଲା। ତେବେ ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ କେବଳ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିଧାୟକ ଜୟ ନାରାୟଣ ମିଶ୍ର ଗଣମାଧ୍ୟମକୁ କହିଥିଲେ।
ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଦୁଇ ଦୁଇଟି ଟିମ୍‌ ଦିଲ୍ଲୀ ଗସ୍ତ କରିଥିଲେ ମଧ୍ୟ କେହି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍‌ କରି ନ ଥିଲେ। ଦଳର ନେତାମାନେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ପରେ ଅପରାଜିତା ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ନେଇ ଚର୍ଚ୍ଚା ଜୋର ଧରିଛି।