Categories: ଖେଳ

କୈଫ୍‌ଙ୍କ ଚେତାବନୀ: ରୋହିତଙ୍କ ସହ ହାତ ମିଳାଇବା ବେଳେ ରୁହନ୍ତୁ ସାବଧାନ

ଧର୍ମଶାଳା,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଜୟ ରଥରେ ଚଢିଛି। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ସିରିଜରେ ଏକାଦଶ ଖେଳିବାରେ ଭାରତୀୟ ଦଳ କ୍ରମାଗତ ଭାବରେ ପରିବର୍ତ୍ତନ କରୁଛି। ଆଗାମୀ ଟି -୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ଟିମ ଇଣ୍ଡିଆରେ ଆଗକୁ ଆହୁରି ଦେଖାଯିବ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ବିରାଟ କୋହଲିଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ତୃତୀୟ ସ୍ଥାନରେ ରଖାଯାଇଛି। କୋହଲିଙ୍କୁ ଟି -୨୦ ସିରିଜରେ ବିଶ୍ରାମ ଦିଆଯାଇଛି। ଭାରତର ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ମହମ୍ମଦ କ୍ୟାପ ରୋହିତଙ୍କୁ ପ୍ରଶଂସା କରିଛନ୍ତି।
ଭାରତ-ଶ୍ରୀଲଙ୍କା ସିରିଜ୍‌ରେ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ମହମ୍ମଦ କୈଫ ତାଙ୍କ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି, ରୋହିତ ଶର୍ମାଙ୍କ ସହ ହାତ ମିଳାଇବା ସମୟରେ ସାବଧାନ ରୁହନ୍ତୁ କାରଣ ସେ ସ୍ପର୍ଶ କରୁଥିବା ସମସ୍ତ ଜିନିଷ ସୁନାରେ ପରିଣତ ହେଉଛି। ତାଙ୍କ ପ୍ରତ୍ୟେକ ପଦକ୍ଷେପ, ଏକ ମାଷ୍ଟର ଷ୍ଟ୍ରୋକ ବୋଲି ସେ କହିଛନ୍ତି।
ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ଗତ ବର୍ଷ ଶ୍ରୀଲଙ୍କାରେ ଚାଲିଥିବା ଟି -୨୦ ସିରିଜରେ ପରାଜୟର ପ୍ରତିଶୋଧ ନେଇଛି। ଟି-୨୦ ଅନ୍ତର୍ଜାତୀୟରେ ଭାରତୀୟ ଦଳ ପାଇଁ ଏହା କ୍ରମାଗତ ୧୧ତମ ବିଜୟ।

Share