ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ଅନୁପମ ଖେର୍‌ ମୁଖ୍ୟ ଅତିଥି ତଥା ସାଧାରଣ ଜନତାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରୂପେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ସତରେ ଏକ ଉପାଦେୟ ଅନୁଭୂତି ମଧ୍ୟରୁ ଅନ୍ୟତମ। କଳା ଜଗତର ଅଭିନେତା ଅଭିନେତ୍ରୀଗଣ ଭାରତର ସାଧାରଣ ଜନତାଙ୍କ ରୋଲ୍‌ ମଡେଲ ଭାବରେ ପରିଚିତ। ସେମାନଙ୍କ ଅଭିନୟରେ ମନୋରଞ୍ଜନ ସହ ସମାଜ ସୁଧାରିବା କ୍ଷେତ୍ରରେ ଥିବା ବାର୍ତ୍ତା ଯୁବବର୍ଗଙ୍କ ଆଦର୍ଶ ସାଜିବା ଏକ ପ୍ରକାର ନିଜସ୍ବ ଚୟନ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ, କଳାକାର ଏବଂ ଜ୍ଞାନୀଗୁଣୀ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ। ରୂପେଲି ପରଦାରେ ଅଭିନୟ କରୁଥିବା କଳାକାରମାନଙ୍କ ବାସ୍ତବିକ ଚେହେରା ଦର୍ଶନର ସୁଯୋଗ ଭାଗ୍ୟରେ ଥିଲେ ମିଳେ ଭାବି ସାଧାରଣ ଜନତାଙ୍କ ଭିଡ଼ ଛୁଟେ। ବିଶେଷକରି ଯୁବଗୋଷ୍ଠୀଙ୍କ ଅହେତୁକ ଆଗ୍ରହ। କିଛି ନ ହେଲେ ଅଟୋଗ୍ରାଫ ଓ ସେଲ୍ଫି ଗୋଟେ ମିଳିଲେ ହେଲା। ସେଥିପାଇଁ ଭାରତରେ ପ୍ରତିବର୍ଷ ଭିନ୍ନ ଭିନ୍ନ ଭାଷାରେ ଚଳଚ୍ଚିତ୍ର ନିମାଣ ହୁଏ। ଭାରତରେ କ୍ରିକେଟ୍‌ ଓ ଚଳଚ୍ଚିତ୍ର ଜଗତ ଏବଂ ସେଥିରେ ସଂଶ୍ଳିଷ୍ଟ ତାରକାଙ୍କ ପ୍ରତି ଆମ ସାଧାରଣ ଜନତାଙ୍କ ନାହିଁ ନଥିବା ଦୁର୍ବଳତା।
ଭାରତୀୟ ବଲିଉଡ୍‌ ଚଳଚ୍ଚିତ୍ରକୁ ନିଜର ଶ୍ରେଷ୍ଠ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଖେର୍‌ ମଞ୍ଚରେ ତାଙ୍କ ଅଭିନୟ ଜୀବନ ଚର୍ଚ୍ଚା କଲା ସମୟରେ କିଛି ରୋମାଞ୍ଚକର ତଥା ହୃଦୟସ୍ପର୍ଶୀ ପ୍ରେରଣାଦାୟୀ ବାର୍ତ୍ତା ଛାତ୍ରୀଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରିଥିଲେ। ସେଥିମଧ୍ୟରୁ ଗୋଟିଏ ବାକ୍ୟ ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା; ଯାହାର ଓଡ଼ିଆ ଅନୁବାଦ ଥିଲା ‘ଏଠି କିଛି ବି ହୋଇପାରେ’। ନଅବର୍ଷରୁ ଅଧିକ ସମୟ ହେବ ତା’ର ପରିଭାଷାକୁ ମୁଁ ଅନେକ କ୍ଷେତ୍ରରେ ଦେଖିବାକୁ ପାଏ। ବାସ୍ତବରେ ଅସମ୍ଭବ ଶବ୍ଦଟି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ତଥା କର୍ମକୁ ଛାଡ଼ିଦେଲେ ଅଧିକାଂଶ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ। ସଭ୍ୟତାର ଆରମ୍ଭରୁ ଯଦି ଇତିହାସ ପୃଷ୍ଠାକୁ ଉନ୍ମୋଚନ କରାଯାଏ, ସେଥିରୁ ଅନେକ ବାସ୍ତବିକ ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହୁଏ। ବେଦ, ଉପନିଷଦ, ପୁରାଣ ପୋଥିରୁ, ଆଧୁନିକ ନାଟକ, ଉପନ୍ୟାସ ତଥା ଜୀବନ ଦର୍ଶନରୁ ଅନେକ ତଥ୍ୟ ହସ୍ତଗତ ହେବା ଆମର ଏକ ପ୍ରକାର ସୌଭାଗ୍ୟ। ଖ୍ରୀଷ୍ଟ ପୂର୍ବରୁ ଖ୍ରୀଷ୍ଟାବ୍ଦ, ପ୍ରାଚୀନରୁ ଆଧୁନିକ ଯୁଗ ଏବଂ ଅତ୍ୟାଧୁନିକ ସମାଜରେ ଘଟୁଥିବା ଜୀବନକୁ ତନ୍ନତନ୍ନ କରି ଖୋଜିଲେ ସେଥିରୁ କିଛି ଜୀବନ୍ତ ବ୍ୟକ୍ତିତ୍ୱ ନଜରକୁ ଆସେ। ଦସ୍ୟୁ ରତ୍ନାକର ଦିନେ ବାଲ୍ମୀକି ସାଜି ରାମାୟଣ ଭଳି କାଳଜୟୀ ଗ୍ରନ୍ଥ ରଚନା କରିବା ଅସମ୍ଭବ ଲାଗୁଥିଲେ ମଧ୍ୟ ସତ୍ୟ। ସେଦିନ ଶ୍ରବଣ କୁମାର ଶିକାବାହୁଙ୍ଗି ସାହାଯ୍ୟରେ କାନ୍ଧରେ ବୋହି ଦୁଇ ଅନ୍ଧ ମାତାପିତାଙ୍କୁ ଭାରତର ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଭ୍ରମଣ କରିବାର ଅଭିଳାଷକୁ ପୂରଣ କରିବାରେ ଯେଉଁ ଅଭୂତପୂର୍ବ ଅପରିକଳ୍ପଣୀୟ ଦକ୍ଷତା ଦେଖାଇଥିଲେ, ତାହା ଅନେକ ଉଦାହରଣ ମଧ୍ୟରୁ ଅନ୍ୟତମ। ଏକଲବ୍ୟ ଯୁଦ୍ଧଶିକ୍ଷା ଅର୍ଜନ ନିମନ୍ତେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ; କିନ୍ତୁ କୌରବମାନଙ୍କ ଦ୍ୱାରା ଅପମାନିତ ହୋଇ ଦ୍ରୋଣଙ୍କ ପ୍ରତିମୂର୍ତ୍ତି ସ୍ଥାପନପୂର୍ବକ ନିଜକୁ ଶ୍ରେଷ୍ଠ ଧନୁର୍ଦ୍ଧାରୀ ରୂପେ ଗଢ଼ି ପରବର୍ତ୍ତୀ ସମୟରେ ନିଜର ଯେଉଁ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ, ତାହା ଇତିହାସ ମନେରଖିବ। ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର ବିଶ୍ୱ ବିଜୟୀର ସ୍ବପ୍ନ ଦେଖୁଦେଖୁ ବିଶ୍ୱର କୋଣଅନୁକୋଣରେ ନିଜର ଆଧିପତ୍ୟ ବିସ୍ତାର କରିବା ପଥରେ ଭାରତକୁ ଅନୁପ୍ରବେଶ କରିବାରେ ଯେଉଁ ବାଧା ସୃଷ୍ଟି ହୋଇଥିଲା, ଯାହା ଅସମ୍ଭବ ଲାଗୁଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ପଥ ଉନ୍ମୁକ୍ତ ହେଲା। ପୁରୁ ରାଜାଙ୍କ ସୈନ୍ୟସାମନ୍ତଙ୍କୁ ଏକ ପରିକଳ୍ପିତ ଯୋଜନା ମାଧ୍ୟମରେ ପରାସ୍ତ କରି ବିଶ୍ୱବିଜୟୀ ହେବାର ବୃହତ୍‌ ସ୍ବପ୍ନକୁ ସାକାର କରିଥିଲେ। ଅଖଣ୍ଡ ଭାରତ ଗଠନର ସ୍ବପ୍ନକୁ ସମ୍ଭବ କରିବାରେ ଚାଣକ୍ୟ ଯେଉଁ ପଣ କରିଥିଲେ, ତାହା ପୁଣି ବାସ୍ତବ ଚିତ୍ର ଚନ୍ଦ୍ରଗୁପ୍ତ ମାଧ୍ୟମରେ ଚିତ୍ରଣ କରିବା ମଧ୍ୟ ଭାରତୀୟଙ୍କ ପରିକଳ୍ପନା ବାହାରେ। ଯେଉଁ ଯୁଦ୍ଧପିପାସୁ ଅଶୋକ ଯୁଦ୍ଧ ଏବଂ ଆକ୍ରମଣକୁ ଅସ୍ତ୍ର କରି ରକ୍ତର ସୁଅ ଛୁଟାଉଥିଲେ, ସେ ପୁଣି ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରିତ ସହ ଅହିଂସାକୁ ନିଜର ଶ୍ରେଷ୍ଠବ୍ରତ ଭାବେ ଗ୍ରହଣ କରି ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଅତ୍ୟନ୍ତ ବିରଳ। ଯେଉଁ ପୃଥ୍ବୀରାଜ ଚୌହାନ୍‌ ମହମ୍ମଦ ଘୋରୀଙ୍କୁ ଏଗାର ଥର ପରାସ୍ତ କରି କ୍ଷତବିକ୍ଷତ କରାଇଥିଲେ, ସେଇ ଘୋରୀ ଦିନେ କଳେବଳେ କୌଶଳେ ଚୌହାନ୍‌ ବଂଶର ମଉଡ଼ମଣିଙ୍କୁ ଆୟତ୍ତ ସହ ବନ୍ଦୀ କରିବା କେହି ସ୍ବପ୍ନରେ ବି ଭାବି ନଥିଲେ।
ବିଶ୍ୱ ତଥା ଭାରତବର୍ଷରେ ଅନେକ ସମୟରେ ଅନେକ ଦୃଷ୍ଟାନ୍ତ ଆମ ଦୃଷ୍ଟିଗୋଚର ହୁଏ। ଭାରତୀୟ ଯୁବଶକ୍ତିର ପ୍ରତୀକ ସ୍ବାମୀ ବିବେକାନନ୍ଦ ଭାରତୀୟ ସନାତନ ଧର୍ମର ଅଦ୍ୱୈତ ବେଦାନ୍ତଙ୍କୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ସ୍ବଳ୍ପ ସମୟର ସୁଯୋଗକୁ ଦୁଇ ଦିନରେ ପହଞ୍ଚାଇବା ସୁଦୃଢ଼ କରିବାରେ ଯେଉଁ ଅଭୂତପୂର୍ବ ପ୍ରତିଭା ପ୍ରଦର୍ଶନ କରିଥିଲେ, ତାହା ଅନେକ ସମୟରେ ଏକ ପ୍ରେରଣାର ସ୍ରୋତ ସାଜେ। ବେଳେବେଳେ ଅବିଶ୍ୱାସ ମଧ୍ୟ ବିଶ୍ୱାସର ରୂପ ନେଇ ଅସମ୍ଭବକୁ ସମ୍ଭବ କରେ। ଓଡ଼ିଶାରେ ଜନ୍ମିତ ଯୁବକ ଜାପାନରେ ଆଜାଦ ହିନ୍ଦ୍‌ ଫୌଜ ଗଠନ କରି ଇଂରେଜ ସରକାରଙ୍କ ବିରୋଧରେ ଆରମ୍ଭ କରିଥିବା ବିପ୍ଳବର ବହ୍ନି ସାରା ବିଶ୍ୱକୁ ଚକିତ କରିଥିଲେ। ଖାଲି ସେତିକି ନୁହେଁ, ଅର୍ଦ୍ଧ ଆଣ୍ଠୁଲୁଚା ବସ୍ତ୍ର ପରିଧାନ କରୁଥିବା ବ୍ୟକ୍ତି ଦିନେ ଦେଶର ନେତୃତ୍ୱ ନେଇ ଅହିଂସା ନୀତି ଅବଲମ୍ବନ କରି ଭାରତ ମାଟିକୁ ଇଂରେଜ ଶାସନରୁ ମୁକ୍ତିର ସ୍ବାଧୀନତା ଚାଖିବାର ଯେଉଁ ଆନନ୍ଦ ସାଧାରଣ ଜନତା ଅନୁଭବ କରିଥିଲେ, ଯାହା ଅବିଶ୍ୱସନୀୟ ଲାଗୁଥିଲେ ବି ବିଶ୍ୱାସରେ ରୂପ ନେଲା। ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲ୍‌ସନ ମଣ୍ଡେଲା ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ ସମୟରେ ସତେଇଶ ବର୍ଷ କାରାବାସ ଭୋଗିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ରାଷ୍ଟ୍ରର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାର ସତ୍ୟତା ଏକ ବାସ୍ତବିକ ଦୃଷ୍ଟାନ୍ତ। ବିଶ୍ୱର ଚତୁର୍ଦ୍ଦିଗରେ ଅନେକ ଘଟଣାର ଝଲକ ଦେଖିବାକୁ ମିଳେ, ଯାହା ଆମ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ବୃହତ୍‌ ପ୍ରେରଣା। ସଫଳତା ଏକ ସାଧନା, ଏକ ତପସ୍ୟା ଏବଂ ଏକ ଆତ୍ମିକ ବ୍ରତ, ଯାହା ଆମ ଆତ୍ମବିଶ୍ୱାସକୁ ମଜଭୁତ କରେ।
ଏସବୁ ସତ୍ତ୍ବେ ଆଜିର ଯୁବ ସମାଜ ଅନେକ ସମୟରେ କାହିଁକି ନୈରାଶ୍ୟ ମଧ୍ୟରେ ନିଜକୁ ଲୁଚାଇବାକୁ ଉଦ୍ୟମ କରୁଛି? ନିଜର ଇଚ୍ଛାଶକ୍ତି, ଦୃଢ଼ତା ଏବଂ ଦକ୍ଷତାକୁ ସେ ବୁଝିବାରେ କାହିଁକି ଅକ୍ଷମ? ତା’ ମଧ୍ୟରୁ ଧୀରେ ଧୀରେ ସଂକୀର୍ଣ୍ଣତା, ହୀନମନ୍ୟତା, କୁଚକ୍ରାନ୍ତ ଏବଂ ଅସମ୍ଭବର ନକାରାତ୍ମକ ମନୋବୃତ୍ତି ବସାବାନ୍ଧି ତାକୁ ଅସତ୍ୟ ଆଡ଼କୁ ଟାଣିନେଉନାହିଁ ତ? ସେ ଆଜି ବାଟବଣା ହୋଇ ହତୋତ୍ସାହିତ ପାଗଳ ପରି ଏ ଗଳିରୁ ସେଗଳିକୁ ଘୂରି ଘୂରି ନିଜର ପରିଚୟ ସୃଷ୍ଟି କରିବାରେ ବିଫଳ। ଯେଉଁ ଭାରତୀୟ ଯୁବଗୋଷ୍ଠୀ ବିଶ୍ୱର ନେତୃତ୍ୱ ନେଉଥିଲେ, ସେ ଦେଶର ଯୁବଗୋଷ୍ଠୀ ଆଜି ନିଶାସକ୍ତ, ଆଳସ୍ୟ ପରାୟଣ, ଅନ୍ୟାୟ ଏବଂ ଅନୀତିର ପୃଷ୍ଠପୋଷାକ ସାଜିବା ଆମ ସ୍ଥାଣୁତାର ପ୍ରତୀକ ବୋଧେ।

ଡ. ମନୋଜ କୁମାର ମହାନ୍ତି
ଅଧ୍ୟାପକ, ଦର୍ଶନ ବିଭାଗ, ଭଦ୍ରକ
ମୋ:୮୮୯୫୩୪୧୦୩୩

Dharitri – Odisha’s No.1 Odia Daily