ଅଜଣା ରୋଗ ପରେ କାଳବୈଶାଖୀ ଚିନ୍ତା

ବରଗଡ ଅଫିସ୍‌,୨୧।୪: ବରଗଡ଼ ଜିଲାରେ ଆଉ ୧୫ଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ମେ ୬ତାରିଖରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରୁ ଏହି ପ୍ରକ୍ରିୟା ପ୍ରଥମେ ଆରମ୍ଭ କରାଯିବ। ଧାନ ଅମଳ ନ ହେଉଣୁ ଯେଭଳି ପାଗ ବଦଳିବାରେ ଲାଗିଛି, ତାକୁ ନେଇ ଚାଷୀ ଚିନ୍ତିତ ହୋଇ ପଡ଼ିଛି। ଜିଲାରେ ଏଥର ରବିଧାନ ଫସଲ ଭଲ ହୋଇଥିଲା। ଫସଲରେ ସେତେ ରୋଗପୋକ ଉପଦ୍ରବ ହୋଇ ନ ଥିଲା ା ହେଲେ ଅତାବିରା, ବରଗଡ଼, ସୋହେଲା, ପଦ୍ମପୁର ଆଦି ଅଞ୍ଚଳର କେତେକ ଫସଲରେ ଧାନଗଛର ଅଗ୍ରଭାଗ ଏବଂ କେଣ୍ଡା ଶୁଖିଯାଇ ଫସଲ ନଷ୍ଟ ହେବାରେ ଲାଗିଥିଲା। ଗୁରୁବାର ଅପରାହ୍ନରେ ଜିଲାର ବିଭିନ୍ନ ସ୍ଥାନରେ ଅଳ୍ପବର୍ଷା ସହିତ ଝଡ଼ବତାସ ଅନୁଭୂତ ହୋଇଥିଲା। ଅମଳ ପୂର୍ବରୁ ଧାନ ଫସଲରେ ଅଜଣା ରୋଗକୁ ନେଇ ଚିନ୍ତା ଦୂର ହୋଇ ନ ଥିବାବେଳେ ପୁଣି କାଳବୈଶାଖୀ ଆଶଙ୍କା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି ।