ବର୍ଷକୁ ଗୋଟିଏ ଫିଲ୍ମ କରିବେ ଅନୁଷ୍କା

ମୁମ୍ବାଇ: ଦୀର୍ଘ ସମୟ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ବିୟୁଟି ଅନୁଷ୍କା ଶର୍ମା। ଅନୁଷ୍କା ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଶାହାରୁଖ ଖାଁଙ୍କ ସହ ୨୦୧୮ରେ ନଜର ଆସିଥିବା ବେଳେ ଏହାପରେ ୨୦୨୨ରେ ଫିଲ୍ମ ‘କଲା’ରେ ଏକ କେମିୟୋ ରୋଲରେ ନଜର ଆସିଥିଲେ। ଏବେ ପ୍ରାୟ ୪ ବର୍ଷ ପରେ ଅନୁଷ୍କା ଶର୍ମା ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ବାୟୋପିକ ମୁଭି ‘ଚକଦା ଏକ୍ସପ୍ରେସ’ ସହ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଶେଷ ବେଳକୁ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ଏହାରି ଭିତରେ ଅଭିନେତ୍ରୀ ଏକ ବଡ ଘୋଷଣା କରିଛନ୍ତି, ଯାହାକୁ ଶୁଣିବା ପରେ ତାଙ୍କ ପ୍ରଶଂସକ ସାମାନ୍ୟ ନିରାଶ ହୋଇଯାଇଛନ୍ତି।

ଅନୁଷ୍କା କହିଛନ୍ତି ଯେ ବର୍ତ୍ତମାନ ସେ ଗୋଟିଏ ବର୍ଷରେ କେବଳ ଗୋଟିଏ ଫିଲ୍ମ କରିବେ। କାରଣ ଏହି ସମୟରେ ସେ ନିଜ ପରିବାର ଉପରେ ବିଶେଷ କରି ତାଙ୍କ ଝିଅ ଭାମିକା ଉପରେ ଧ୍ୟାନ ରଖିବାକୁ ଚାହୁଁଛନ୍ତି । ବେଙ୍ଗାଲୁରୁରେ ଏକ ଇଭେଣ୍ଟରେ ଯୋଗ ଦେଇ ଅନୁଷ୍କା କହିଛନ୍ତି, ମୁଁ ଜାଣେ ମୋ ଝିଅ ଏବେ ସେହି ବୟସରେ ଅଛି ଯେ ତା’ ପାଇଁ ମୋତେ ବହୁତ ସମୟ ଦେବାକୁ ପଡିବ। ବିରାଟ ଜଣେ ଭଲ ପିତା। କିନ୍ତୁ ସେ (ଭାମିକା) ସେହି ବୟସରେ ଅଛି ଯେଉଁଠାରେ ମୁଁ ତାକୁ ଅଧିକ ସମୟ ଦେବା ଆବଶ୍ୟକ।
ଅଭିନେତ୍ରୀ କହିଛନ୍ତି, ମୁଁ ଅଭିନୟକୁ ଉପଭୋଗ କରେ କିନ୍ତୁ ମୁଁ ବହ ଅଧିକ ଫିଲ୍ମ କରିବାକୁ ଚାହେଁ ନାହିଁ । ବର୍ତ୍ତମାନ ମୁଁ ବର୍ଷକୁ ଗୋଟିଏ ଚଳଚ୍ଚିତ୍ର କରିବାକୁ ଚାହୁଁଛି ଏବଂ ଅଭିନୟର ପର୍ଯ୍ୟାୟକୁ ଉପଭୋଗ କରିବାକୁ ଚାହୁଁଛି। ଏହାସହ ଜୀବନକୁ ବାଲାନ୍ସ କରି ପରିବାରକୁ ସମୟ ଦେବାକୁ ଚାହୁଁଛି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋ ଜୀବନକୁ ଯେମିତି ଭାବେ କାଟୁଛି, ସେଥିରେ ମୁଁ ଖୁସି ଅଛି। ମୁଁ କାହାକୁ କିଛି ପ୍ରମାଣ କରିବାକୁ ଚାହେଁ ନାହିଁ, ସେ ଅଭିନେତ୍ରୀ, ଜନପ୍ରତିନିଧି କିମ୍ବା ମାତା ହୁଅନ୍ତୁ କିମ୍ବା ପତ୍ନୀ ହୁଅନ୍ତୁ। ଅନୁଷ୍କା ଆହୁରି କହିଛନ୍ତି ଯେ ସେ କେବଳ ଏପରି କାମ କରିବାକୁ ଚାହାଁନ୍ତି, ଯାହା ତାଙ୍କୁ ଖୁସି ଦେବ ଏବଂ ସେ ଏହାକୁ ଠିକ ବୋଲି ଭାବିବେ।

Share