ମଥୁରା,୨ା୬: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସଫଳ ଅଭିଯାନ ପରେ କ୍ରିକେଟର ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁଷ୍କା ଶର୍ମା ମଙ୍ଗଳବାର ବୃନ୍ଦାବନସ୍ଥିତ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରି ତାଙ୍କ ଆଶୀର୍ବାଦ ନେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।
ଆଶ୍ରମ ସୂତ୍ରରୁ ପ୍ରକାଶ ଦମ୍ପତି ମୁହଁରେ ମାସ୍କ ଲଗାଇଥିଲେ। ସକାଳ ପ୍ରାୟ ୭ଟା ବେଳେ କାର୍ ଯୋଗେ ଆସି ବୃନ୍ଦାବନ ପରିକ୍ରମା ମାର୍ଗସ୍ଥିତ ଶ୍ରୀ ହିତ ରାଧା କେଳିକୁଞ୍ଜ ଆଶ୍ରମରେ ପହଞ୍ଚି ଥିଲେ। ସେମାନେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେବା ପରେ ଆଶ୍ରମରେ ପାଖାପାଖି ଦୁଇ ଘଣ୍ଟା ସମୟ ଅତିବାହିତ କରିଥିଲେ। ଆଶ୍ରମ ପକ୍ଷରୁ ଦମ୍ପତ୍ତିଙ୍କୁ ଏକ ପୁସ୍ତକ ପ୍ରଦାନ କରାଯାଇଥିଲା। କୋହଲି ଓ ଅନୁଷ୍କା ପରେ ହିତ ଗୋବିନ୍ଦ ଶରଣଙ୍କ ଆଶ୍ରମ ପରିଦର୍ଶନ କରି ତାଙ୍କର ମଧ୍ୟ ଆଶୀର୍ବାଦ ନେଇଥିଲେ।
ସୂଚନାଯୋଗ୍ୟ, ମେ ୩୧ରେ ଅହମଦାବାଦଠାରେ ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍ ଫାଇନାଲରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ତରଫରୁ ଏକ ମ୍ୟାଚ ବିଜୟୀ ଅପରାଜିତ ୭୫ ରନର ଏକ ଇନିଂସ ଖେଳିଥିଲେ। ଫଳରେ ବେଙ୍ଗାଲୁରୁ ୧୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟକୁ ୫ଉଇକେଟରେ ହରାଇ ଦେଇଥିଲା।