Categories: ଜାତୀୟ

ଦଳ କଥା ଚିନ୍ତା କରୁ କଂଗ୍ରେସ, ଦେଶ ପାଇଁ ମୋଦି ଅଛନ୍ତି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ରାହୁଲ ଗାନ୍ଧୀଙ୍କ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ରହିଛି। ସୂଚନା ମୁତାବକ, ଚାଇନା ଏବଂ ପାକିସ୍ତାନ ଗୋଟିଏ ହୋଇଗଲେଣି ବୋଲି ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟରେ କହିଥିଲେ। ଏଥିସହ କୌଣସି ଯୁଦ୍ଧ ହୁଏ ଏବଂ ଯେତେବେଳେ ବି ଏହା ଘଟେ, ତେବେ ଏହା ଗୋଟିଏ ଦେଶ ସହ ନୁହେଁ ବରଂ ଉଭୟ ଦେଶ ସହ ଯୁଦ୍ଧ ହେବ ବୋଲି ସେ କହିଥିଲେ। ରାହୁଲଙ୍କ ଏହି ବୟାନ ଏବେ ରାଜନୈତିକ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିବା ସହ ପାଲଟା ଜବାବ ଦେଇଛି। ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଟାର୍ଗେଟ କରି ତାଙ୍କୁ କଂଗ୍ରେସ ଦଳ ବିଷୟରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ଦଳ ପାଇଁ ଚିନ୍ତା କରିବା ଉଚିତ୍‌, ଦେଶର ଚିନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଛାଡିଦେବା ଉଚିତ୍‌। ଯିଏ ଦେଶରେ ପ୍ରଥମ ଆତଙ୍କବାଦ ବିସ୍ତାର କରିବାକୁ ଉଦ୍ୟମ କରିଛି, ତାଙ୍କୁ ଭାରତୀୟ ସେନା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ ଷ୍ଟ୍ରାଇକ ଦ୍ୱାରା କଡ଼ା ଜବାବ ଦେଇଛି ବୋଲି ଅନୁରାଗ ଠାକୁର କହିଛନ୍ତି।

Share