ଅଭିନୟକୁ ଅଲ୍‌ବିଦା କହିଲେ ଅନୁପମା ଫେମ୍‌ ଏହି ଅଭିନେତ୍ରୀ

ବମ୍ବେ: ଅଭିନୟ ଜଗତକୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା ଭୋସଲେ ଟେଲିଭିଜନଜଗତ ଛାଡୁଥିବା ନେଇ ଆଧିକାରିକ ଭାବେ ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଅନଘା ‘ଅନୁପମା’ ଶୋ’ ଛାଡିଥିଲେ। ସେହି ସମୟଠାରୁ ତାଙ୍କର ଆଗାମୀ ଯୋଜନା କ’ଣ ହେବ ତା’ ଉପରେ ପ୍ରଶଂସକଙ୍କ ନଜର ଥିଲା। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଅଙ୍ଘା ସବୁଦିନ ପାଇଁ ମନୋରଞ୍ଜନ ଦୁନିଆ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ ଲେଖିଛନ୍ତି- ‘ହରେ କୃଷ୍ଣ ପରିବାର, ମୁଁ ଜାଣେ ଆପଣ ସମସ୍ତେ ଶୋ’ରେ ମୋତେ ବହୁତ ପ୍ରେମ ଏବଂ ଦୟା ଦେଖାଇଛନ୍ତି। ଏଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ, ମୁଁ ଆପଣଙ୍କ କୃତଜ୍ଞ। ମୁଁ ଅଧିକାରିକ ଭାବରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରି ଛାଡୁଛି। ମୁଁ ଆଶା କରେ ଆପଣ ସମସ୍ତେ ମୋର ନିଷ୍ପତ୍ତିକୁ ସମ୍ମାନ କରିବେ ଏବଂ ସମର୍ଥନ ମଧ୍ୟ କରିବେ। ଆଧ୍ୟାତ୍ମିକ କାରଣରୁ ମୁଁ ଏହି ନିଷ୍ପତ୍ତି ନେଇଛି। ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ସମସ୍ତଙ୍କ ଭିନ୍ନ ଭିନ୍ନ ରାସ୍ତା ରହିଛି କିନ୍ତୁ ଗନ୍ତବ୍ୟସ୍ଥଳ ଗୋଟିଏ। ଆମ ସମସ୍ତଙ୍କ ତାଙ୍କ ଉପରେ ଆସ୍ଥା ରହିଛି ଏବଂ ଆମେ ନିଶ୍ଚିତ ଭାବରେ ତାଙ୍କ ଆଡକୁ ଯିବା। ଭଗବାନ ସର୍ବଦା ଦୟାଳୁ/ପ୍ରେମରେ ପରିପୂର୍ଣ୍ଣ ଏବଂ ସର୍ବଦା ଆମ ସହିତ ଛିଡା ହୋଇ ରହିଛନ୍ତି। ଆମର ଜନ୍ମ ହେବାର କାରଣକୁ ମଣିଷ ଭାବରେ ବୁଝିବା ଆମର ଦାୟିତ୍ୱ। ତେଣୁ ଏହା ବୁଝିବାକୁ ହେବ ଯେ ଭଗବାନଙ୍କୁ ସେବା କରିବା ଏବଂ ପ୍ରେମ କରିବା ଓ କୃଷ୍ଣ ଚେତନା ବାଣ୍ଟିବା ପାଇଁ ମଣିଷ ଜନ୍ମ ହୋଇଛି।’

 

ଅନଘାଙ୍କ ଏହି ପୋଷ୍ଟ ତାଙ୍କର ପ୍ରଶଂସକଙ୍କୁ ଝଟ୍‌କା ଦେଇଛି। ତାଙ୍କୁ ଆଉ କେବେବି ପରଦାରେ ଦେଖିବାକୁ ମିଳିବ ନାହିଁ ବୋଲି ସେମାନେ ଦୁଃଖ ପ୍ରକାଶ କରିଛନ୍ତି।

Share