ଫିଲ୍ମ ନିର୍ଦ୍ଦେଶନାକୁ ଫେରିଲେ ଅନୁପମ୍‌

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ୍‌ ଖେର୍‌ ସୋସିଆଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ସାମାଜିକ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ପ୍ରସଙ୍ଗରେ ସେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ନିଜର ଶାଣିତ ମତ ରଖିଥାନ୍ତି। ତେବେ ଗୁରୁବାର ଏହି ଭେଟେରାନ୍‌ ଅଭିନେତା ଜଣକ ନିଜର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଏକ ବଡ ଘୋଷଣା କରିଛନ୍ତି। ନିକଟରେ ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଥିବା ଅନୁପମ କହିଛନ୍ତି। ସେ ନିଜ ମା’ଙ୍କ ଆଶୀର୍ବାଦ ଗ୍ରହଣ କରି ଏହି ଚଳଚ୍ଚିତ୍ରର ନାମ ‘ତନ୍‌ଭି ଦି ଗ୍ରେଟ୍‌’ ହୋଇଥିବା ସୂଚନା ଦେଇଛନ୍ତି। ଏନେଇ ଅନୁପମ୍‌ ଗୁରୁବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଏହି ଚଳଚ୍ଚିତ୍ରର ସଫଳତା କାମନା କରି ତାଙ୍କ ମା’ଙ୍କ ଠାରୁ ଆଶୀର୍ବାଦ ନେଉଥିବାର ନଜର ଆସୁଛନ୍ତି। ଗତ ୩ ବର୍ଷ ଧରି ଏହି ଚଳଚ୍ଚିତ୍ରର କାହାଣୀ ଉପରେ ସେ କାର୍ଯ୍ୟ କରୁଥିବା ଅନୁପମ କହିଛନ୍ତି। ଶୁକ୍ରବାର ମହାଶିବରାତ୍ରିର ଶୁଭ ଅବସରରେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ ବୋଲି ସେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଚଳଚ୍ଚିତ୍ରକୁ ଅନୁପମ୍‌ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଏଥିପାଇଁ ସେ ନିଜ ପ୍ରଶଂସକଙ୍କ ଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଛନ୍ତି। ଅନୁପମ୍‌ ପୂର୍ବରୁ ମଧ୍ୟ କିଛି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ବେଳେ, ଗତ କିଛି ବର୍ଷ ଧରି ସେ ଫିଲ୍ମ ନିର୍ଦ୍ଦେଶନାରୁ ଦୂରେଇ ରହିଥିଲେ। ୨୦୦୨ରେ ସେ ପ୍ରଥମ ଥର ପାଇଁ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ।

Share