ଅଟୋରେ ଆସୁଥିଲେ, ମୋବାଇଲ ଲୁଟୁଥିଲେ

ଅନୁଗୋଳ ଅଫିସ, ୧୦ା୪: ଅନୁଗୋଳ ସାପ୍ତାହିକ ହାଟରୁ ଏକ ମୋବାଇଲ ଚୋରି ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏହି ଗ୍ୟାଙ୍ଗରେ ଥିବା ସ୍ଥାନୀୟ ଅଞ୍ଚଳର ୨ ଜଣ ଓ ପଶ୍ଚିମବଙ୍ଗର ୩ ଜଣଙ୍କୁ ପୋଲିସ ଧରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ସମ୍ପୃକ୍ତ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ୪ ଜଣ ପଶ୍ଚିମବଙ୍ଗ ଦୁର୍ଗାପୁରର ଭିକି କୁମାର ନୋନିଆ(୨୪), ରୋହିତ କୁମାର ନୋନିଆ(୨୦), ଅନୁଗୋଳ ତୁରଙ୍ଗ ଅଞ୍ଚଳର ଶୁଭମ ବିଶ୍ୱାଳ(୨୪) ଓ ପୁରୁଣାକୋଟ ଥାନା କୋଠଭୂଇଁ ଅଞ୍ଚଳର ଅମରଜ୍ୟୋତି ବିଶ୍ୱାଳ(୨୫)ଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୨୯ଟି ମୋବାଇଲ ଫୋନ୍‌, ଏକ ଅଟୋ (ନଂ. ଓଡି୧୯ଇ-୯୪୧୦)କୁ ଜବତ କରାଯାଇଛି।
ପ୍ରକାଶ ଯେ, ବାହାରୁ ଆସି ଏକ ଗ୍ୟାଙ୍ଗ ଅନୁଗୋଳ ସହରରେ ମୋବାଇଲ ଚୋରି କରୁଥିବା ନେଇ ଖବର ‘ଧରିତ୍ରୀ’ରେ ପ୍ରକାଶ ପରେ ପୋଲିସ ବିଭିନ୍ନ ହାଟ ଉପରେ ନଜର ରଖିଥିଲା। ରବିବାର ହାଟରୁ ୩ଟି ମୋବାଇଲ ଚୋରି ହୋଇଥିଲା। ଏହାପରେ ସ୍ଥାନୀୟ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ରହୁଥିବା ନିମାଇଁ ଚରଣ ମହାପାତ୍ରଙ୍କ ମୋବାଇଲ ଚୋରି ସମୟରେ ଜଣେ ନାବାଳକ ଧରାପଡ଼ିଥିଲେ। ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନାବାଳକଙ୍କ ସହ ପଶ୍ଚିମବଙ୍ଗର ୨ ଜଣ ଲୁଟେରାଙ୍କୁ ସେଠାରୁ କାବୁ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ପୋଲିସକୁ ଅଧିକ ତଥ୍ୟ ମିଳିଥିଲା। ଏକ ଡାଲା ଅଟୋରେ ଚୋରି ହୋଇଥିବା ବହୁ ମୋବାଇଲ ରହିଥିବା ଜଣାପଡ଼ିବା ପରେ ଉକ୍ତ ଅଟୋକୁ ଯାଞ୍ଚ କରି ସେଥିରୁ ୨୫ଟି ଫୋନ୍‌ ପୋଲିସ ପାଇଥିଲା। ଏଥିସହ ରବିବାର ହାଟରୁ ଚୋରି ହୋଇଥିବା ୪ଟି ଫୋନକୁ ମଧ୍ୟ ଜବତ କରିଥିଲା। ଏହି ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ଅନୁଗୋଳ ପୁରୁଣାକୋଟର ଅମରଜ୍ୟୋତିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସେ ତୁରଙ୍ଗ ଅଞ୍ଚଳର ଶୁଭମଙ୍କୁ ଏହି କାର୍ଯ୍ୟରେ ଲଗାଇଥିଲେ। ସେମାନେ ଅନୁଗୋଳର ପ୍ରତିଟି ହାଟକୁ ଡାଲା ଅଟୋରେ ଯାଉଥିଲେ। ଅଟୋ ଚାଳକଙ୍କୁ ୫ଶହ ଟଙ୍କାର ତେଲ ଓ ଭଡ଼ା ବାବଦକୁ ୨ ହଜାର ଟଙ୍କା ଦେଉଥିଲେ। ମୋବାଇଲ ଚୋରି ପରେ ତାହାକୁ ଶୁଭମ୍‌ଙ୍କ ହାତରେ ଅଟୋ ନିକଟକୁ ପଠାଉଥିଲେ। ଶୁଭମ୍‌ ଅଟୋରେ ଚୋରା ମୋବାଇଲ ଗୁଡ଼ିକ ଆଣି ଅମରଜ୍ୟୋତିଙ୍କୁ ପ୍ରଦାନ କରୁଥିଲେ। ଏହି ମାମଲାର ଅଧିକ ତଦନ୍ତ ଅନୁଗୋଳ ଥାନା ଏସ୍‌ଆଇ ଅମିତ୍‌ ମିଶ୍ର କରୁଥିବା ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।