କରୋନା ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରୁହେ ଆଣ୍ଟିବଡ଼ି …

ରୋମ୍‌,୨୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନ ବିଭିନ୍ନ ଦେଶରେ ଜାରି ରହିଛି। ଭାକ୍ସିନ୍‌ ନେବା ଦ୍ୱାରା ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି ହେଉଛି। ସେହିପରି ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ସେମାନଙ୍କ ଶରୀରରେ ମଧ୍ୟ ଆଣ୍ଟିବଡ଼ି ସୃଷ୍ଟି ହେଇଛି। ଆକ୍ରାନ୍ତଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ୯ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ ବୋଲି ଇଟାଲିରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗବେଷକ ଲକ୍ଷଣ ପ୍ରକାଶ ପାଇଥିବା ଏବଂ ଲକ୍ଷଣ ପ୍ରକାଶ ପାଇ ନ ଥିବା ଆକ୍ରାନ୍ତଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ନେଇ ଗବେଷଣା କରିଥିଲେ। ୩,୦୦୦ ଆକ୍ରାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏହି ରିପୋର୍ଟ ନେଚର କମ୍ୟୁନିକେଶନ ପତ୍ରିକାରେ ପ୍ରକାଶିତ ହୋଇଛି। ୯୮.୮ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଦୁଇଥର କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share