ତହସିଲ କାର୍ଯ୍ୟାଳୟରେ ଅସାମାଜିକ କାର୍ଯ୍ୟକଳାପ

ଢେଙ୍କାନାଳ,୧୨ା୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ କିଛିଦିନ ହେଲା ଖଣି ମାଫିଆଙ୍କ କବଳରେ ରହିଥିବା ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ଅଧିକାଂଶ ସମୟରେ କାର୍ଯ୍ୟାଳୟ ବନ୍ଦ ହେବାର ଦୀର୍ଘ ସମୟ ପରେ ମଧ୍ୟ କାର୍ଯ୍ୟ ଆଳରେ କେତେଜଣ କର୍ମଚାରୀ ରାତି ୧୦ଟା ପର୍ଯ୍ୟନ୍ତ ଭିତରେ ରହୁଛନ୍ତି। ସେମାନେ ମୁଖ୍ୟ ଫାଟକ ବନ୍ଦ କରି ଭିତରେ ଖଣି ମାଫିଆଙ୍କ ସହ ଭୋଜିଭାତ ଓ ନିଶାଦ୍ରବ୍ୟର ଆସର ଜମାଉଥିବା ଚର୍ଚ୍ଚା ହେଉଛି। ଗତ ୯ ତାରିଖରେ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ପରିସର ରେକର୍ଡ ରୁମ୍‌ ଖୋଲାଥିଲା। ସେଠାରେ କେତେଜଣ କର୍ମଚାରୀ ଖଣି ମାଫିଆଙ୍କ ସହ ମିଶି ଭୋଜିଭାତ କରୁଥିଲେ। ଘଟଣାସ୍ଥଳରେ ମଦ ବୋତଲ ମଧ୍ୟ ରହିଥିବା ଦେଖାଯାଇଥିଲା। ଘଟଣା ଜଣାପଡିବା ପରେ ଏହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ସଦର ତହସିଲଦାର ନିର୍ବାଚନ ସଂକ୍ରାନ୍ତୀୟ ତାଲିମ ପାଇଁ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ ଅନୁପସ୍ଥିତିରେ କେତେଜଣ କର୍ମଚାରୀ ଏପରି ଭୋଜିଭାତ କରୁଥିବା କୁହାଯାଉଛି। ଅଫିସ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକମାନଙ୍କ କାମ ନାନା ବାହାନା ଦେଖାଯାଇ କରାଯାଉ ନ ଥିବା ବେଳେ କାହା ସ୍ବାର୍ଥରେ ଖଣି ଓ ପଥର ମାଫିଆଙ୍କ ସହ ରାତି ୧୦ଟା ଯାଏ ଆଲୋଚନା ଚାଲିଥିଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣାରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସଦର ତହସିଲଦାର ସୁଧାଂଶୁ ଶେଖର ସାଓ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତଙ୍କୁ ତାଗିଦ୍‌ କରାଯାଇଛି। ଏଣିକି କାର୍ଯ୍ୟାଳୟ ବନ୍ଦ ହେବାପରେ କୌଣସି କର୍ମଚାରୀ କାର୍ଯ୍ୟାଳୟରେ ରହିବେ ନାହିଁ। ଅପରାହ୍ନ ସାଢେ ୫ଟାରେ କାର୍ଯ୍ୟାଳୟକୁ ବନ୍ଦ କରାଯିବ। ଯଦି କୌଣସି ଜରୁରୀ କାର୍ଯ୍ୟ ଥିବ, ତା’ହାଲେ ତହସିଲଦାରଙ୍କ ଉପସ୍ଥିତିରେ ସମ୍ପୃକ୍ତ ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କେବଳ ଡକାଯିବ। ଏହି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୨/୩ବର୍ଷ ତଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତହସିଲ ଅଫିସରେ କେତେଜଣ କର୍ମଚାରୀ ଓ ଜମି ମାଫିଆ ଉପସ୍ଥିତ ରହି ଜମିପଟ୍ଟାକୁ କମ୍ପ୍ୟୁଟରରେ ଟାମ୍ପରିଂ କରି ଜମି ହଡ଼ପ କରିଥିଲେ। ଏହି ଘଟଣା ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଜଣେ ଅତିରିକ୍ତ ତହସିଲଦାରଙ୍କ ସମେତ ୨ କର୍ମଚାରୀ, ୨ ଜମି ମାଫିଆ ଗିରଫ ହୋଇଥିଲେ। ଅତିରିକ୍ତ ତହସିଲଦାର ମଧ୍ୟ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।