କୋରାପୁଟ,୧୮।୧୧(ଅମିତାଭ ବେହେରା): ଗ୍ରାମାଞ୍ଚଳରେ ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ ଦାବିରେ କୋରାପୁଟ ଜିଲା କୋଟପାଡ଼ ବ୍ଲକର ଭନସୁଲି ଓ ସେମଳା ପଞ୍ଚାୟତର ଶତାଧିକ ମହିଳା ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ପଞ୍ଚାୟତର ପ୍ରତି ଗାଁରେ ଅବାଧ ମଦ ବିକ୍ରି ଯୋଗୁ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହେଉଥିବା ବେଳେ ପରିବାରରେ ଅଶାନ୍ତି ବଢ଼ୁଛି। ମଦ୍ୟପମାନେ ଘରୋଇ ହିଂସା ସୃଷ୍ଟି କରିବା ସହ ଘରର ଆସବାପତ୍ର ବିକି ସଂସାର ଉଜାଡ଼ୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଅବକାରୀ ବିଭାଗ ପଦକ୍ଷେପ ନେଉ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି।
ଏନେଇ ମହିଳାମାନେ ଜିଲାପାଳଙ୍କୁ ଦାବିପତ୍ର ଦେବା ସହ ଦାବି ପୂରଣ ନ ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଦୁଇ ପଞ୍ଚାୟତ ସରପଞ୍ଚଙ୍କ ସମେତ ପ୍ରେମ ଗଣ୍ଡ, ବଇଦି ପୂଜାରୀ, ରାଇବାଳା ନାୟକ, ରାମବତୀ ନାୟକଙ୍କ ସହ ବହୁ ମହିଳା ଉପସ୍ଥିତ ଥିଲେ।
ଏନେଇ କୋରାପୁଟ ଅବକାରୀ ଅଧିକ୍ଷକ ଅରୁଣ ପାଢ଼ୀଙ୍କୁ ପଚାରିବାରୁ ସମ୍ପୃକ୍ତ ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ରୋକିବା ନେଇ ଦୃଢ଼ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି।