ଆୟୋଜକଙ୍କୁ ଦାୟୀ କରିବା ହିନ୍ଦୁ ବିରୋଧୀ ମାନସିକତା: ଭାଜପା

ଭୁବନେଶ୍ବର, ୨୬।୪(ବ୍ୟୁରୋ): ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ବଲପୁରଠାରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ସମୟରେ ଘଟିଥିବା ବିଶୃଙ୍ଖଳା ପାଇଁ ଆୟୋଜକମାନଙ୍କୁ ଦାୟୀ କରାଯିବା ହିନ୍ଦୁ ବିରୋଧୀ ମାନସିକତାର ପରିଚୟ ନୁହେଁ କି ବୋଲି ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ଗତ ୧୨ରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବ ଶୋଭାଯାତ୍ରାରେ ପଥର ମାଡ଼, ଠେଙ୍ଗାରେ ଆକ୍ରମଣ ଓ କିଛି ଲୋକଙ୍କ ଘରର ଛାତ ଉପରୁ ପେଟ୍ରୋଲ ବମ୍‌ ଜବତ କରାଗଲା। ନିକଟରେ ମନ୍ତ୍ରୀ ପ୍ରତାପ ଦେବ ଦେଇଥିବା ବକ୍ତବ୍ୟରୁ ସ୍ପଷ୍ଟ ହେଉଛି, ଏହି ଦଙ୍ଗା ସୃଷ୍ଟିକାରୀଙ୍କୁ ବିଜେଡି ସୁରକ୍ଷା ଦେଉଛି। ମନ୍ତ୍ରୀ ଇତିହାସର ଦ୍ୱାହି ଦେଉଛନ୍ତି, ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ଦଳର ନେତାଙ୍କୁ କହି ୨୦୦୭ର କନ୍ଧମାଳ ଦଙ୍ଗା, ୨୦୦୮ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାନ୍ତୁ। ସରେଇପାଲି ଆଇଆଇସି ଧୀରେନ କୁମାର ସ୍ବାଇଁ ଏତଲାରେ ସ୍ପଷ୍ଟ କରି ଲେଖିଥିଲେ, ୧୫୦ ରୁ ୧୬୦ ଦଙ୍ଗାକାରୀ ଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏତେ ବଡ ଘଟଣାରେ ପୋଲିସ ମାତ୍ର ୩୦ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି। ଅନ୍ୟ ଦଙ୍ଗାକାରୀଙ୍କୁ ଗିରଫ ନ କରିବାକୁ କିଏ ଚାପ ସୃଷ୍ଟି କରୁଛନ୍ତି ଏବଂ କିଏ ପୋଲିସ ହାତ ବାନ୍ଧିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ପୋଲିସ ବିଶୃଙ୍ଖଳାକାରୀଙ୍କୁ ବଳ ଦେଉଛି। ବାହାର ରାଜ୍ୟର କୁଖ୍ୟାତ ଅପରାଧୀମାନେ ଅନାୟାସରେ ପୁରୀ, ବରଗଡ଼କୁ ଆସିବା ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥାର ନଗ୍ନ ନମୁନା।