Categories: ଜାତୀୟ

କର୍ନାଟକ ବିଧାନସଭାରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ

ବେଙ୍ଗାଲୁରୁ, ୨୨ା୯: କର୍ନାଟକ ବିଧାନସଭାରେ ବୁଧବାର ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗାଳ ମଧ୍ୟରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ ହୋଇଛି। ଗତ ସପ୍ତାହରେ ସାମାନ୍ୟ ସଂଶୋଧନ ପରେ ବିଧାନ ପରିଷଦରେ ଗୃହୀତ ହୋଇଥିବା ଏହି ବିଲ୍‌କୁ ବିଧାନସଭାର ମଞ୍ଜୁରୀ ମିଳିବା ପରେ ଆଇନରେ ପରିଣତ କରିବା ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ।
ଧର୍ମ ସ୍ବାଧୀନତା ଅଧିକାର ସୁରକ୍ଷା ବିଲ୍‌ ୨୦୨୧ ଡିସେମ୍ବରରେ ରାଜ୍ୟ ବିଧାନସଭାରେ ଗୃହୀତ ହୋଇଥିଲା। ତେବେ ଏହା ବିଧାନ ପରିଷଦରେ ବିଚରାଧୀନ ଥିବାବେଳେ ଶାସକ ଭାଜପା ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶ ଆଣିଥିଲା। ଚଳିତ ବର୍ଷ ଉଚ୍ଚ ସଦନରେ ଭାଜପା ସଂଖ୍ୟା ଗରିଷ୍ଠତା ଲାଭ କରିବା ପରେ ଗତ ସପ୍ତାହରେ ଏହାକୁ ବିଧାନ ପରିଷଦରେ ଆଗତ କରାଯାଇଥିଲା। ବୁଧବାର ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର କର୍ନାଟକ ପ୍ରୋଟେକ୍ସନ ଅଫ୍‌ ରାଇଟ୍‌ ଟୁ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ବିଲ୍‌, ୨୦୨୨ ଆଗତ କରିଥିଲେ। ରାଜ୍ୟପାଳ ମୋହର ଦେବା ପରେ ୨୦୨୨ ମେ ୧୭ରୁ ଏହା ପିଛିଲା ଭାବେ କାର୍ଯ୍ୟକାରୀ ହେବ। କାରଣ ଏହି ଦିନ ରାଜ୍ୟ ସରକାର ଅଧ୍ୟାଦେଶ ଆଣିଥିଲେ। ଅନ୍ୟପକ୍ଷେ କଂଗ୍ରେସ ଉକ୍ତ ବିଲ୍‌କୁ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଚେତାବନୀ ଦେଇଛି। ବିଲ୍‌ର ଉଦ୍ଦେଶ୍ୟ ମନ୍ଦ ଏବଂ ରାଜନୈତିକ ଅଭିସନ୍ଧି ରଖି ଏହାକୁ ଅଣାଯାଇଛି। ଏହି ବେଆଇନ ତଥା ଅସାମ୍ବିଧାନିକ ବିଧେୟକ ଉପରେ ସ୍ଥଗିତାଦେଶ କିମ୍ବା ଏହାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ କୋର୍ଟର ଆଶ୍ରୟ ନେବୁ ବୋଲି ଗୃହରେ କଂଗ୍ରେସ ଉପନେତା ୟୁ.ଟି. ଖଦେର କହିଛନ୍ତି।

Share