ମାତ୍ର ୨ ଉଇକେଟ୍‌ ନେଇ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଲେ ଅଂଶୁଲ କାମ୍ବୋଜ: ଦିନିକିଆରେ ରଚିଲେ ଇତିହାସ

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆ ୫ ଉଇକେଟରେ ବିଜୟୀ ହୋଇଛି। ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚକୁ ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଡକ୍‌ ଓ୍ବର୍ଥ-ଲୁଇସ ନିୟମ ଅନୁଯାୟୀ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ଅର୍ଶଦୀପ ସିଂହ ୪ଟି ଏବଂ ଗୁରନୂର ବରାର ୩ଟି ଉଇକେଟ ନେଇଥିଲେ। ତେବେ ମାତ୍ର ୨ଟି ଉଇକେଟ ନେଇଥିବା ଅଂଶୁଲ କାମ୍ବୋଜଙ୍କୁ ମିଳିଥିଲା ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର।

ଏହି ପୁରସ୍କାର ଜିତିବା ସହ ଅଂଶୁଲ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିନା ବ୍ୟାଟିଂ କରି ମାତ୍ର ୨ଟି କିମ୍ବା ତା’ଠାରୁ କମ ଉଇକେଟ ନେଇ ଦିନିକିଆରେ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିବା ଭାରତୀୟ ଖେଳାଳିଙ୍କ ସ୍ବତନ୍ତ୍ର ତାଲିକାରେ ସେ ସାମିଲ ହୋଇଛନ୍ତି। ଏହି ତାଲିକାରେ ଜସପ୍ରୀତ ବୁମ୍‌ରାଙ୍କ ଭଳି ଅଭିଜ୍ଞ ବୋଲର ମଧ୍ୟ ରହିଛନ୍ତି।

ଅଂଶୁଲ କାମ୍ବୋଜଙ୍କ ଦିନିକିଆ କ୍ୟାରିୟରର ଆରମ୍ଭ ଆଶାନୁରୂପ ରହି ନ ଥିଲା। ଅକ୍ଟୋବର ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିବା ନିଜର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସେ ଗୋଟିଏ ବି ୱିକେଟ ନେଇପାରି ନ ଥିଲେ। ଏହି ମ୍ୟାଚ୍‌ରେ ୯ ଓଭର ବୋଲିଂ କରି ୮୨ ରନ ବ୍ୟୟ କରିଥିଲେ।

କିନ୍ତୁ ନିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦ ଓଭର ବୋଲିଂ କରି ମାତ୍ର ୨୨ ରନ ଦେବା ସହ ୨ଟି ମୂଲ୍ୟବାନ ଉଇକେଟ ହାସଲ କରିଥିଲେ। ତାଙ୍କର ଏହି ପ୍ରଭାବଶାଳୀ ବୋଲିଂ ପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ବଛାଯାଇଥିଲା।

ବିନା ବ୍ୟାଟିଂ କରି ମାତ୍ର ୨ଟି କିମ୍ବା ତା’ଠାରୁ କମ ଉଇକେଟ ନେଇ ଦିନିକିଆରେ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ଅଂଶୁଲଙ୍କ ବ୍ୟତୀତ ଜସପ୍ରୀତ ବୁମ୍‌ରା, ଅନିଲ କୁମ୍ବଲେ, ମୋହିତ ଶର୍ମା, ଭୁବନେଶ୍ୱର କୁମାର ଓ ଜବଗଲ ଶ୍ରୀନାଥଙ୍କ ନାମ ରହିଛି।

 

Dharitri – Odisha’s No.1 Odia Daily

 

Share