ଗୁଣାଦେଳରେ ପୁଣି ଅଜଣା ଜନ୍ତୁ ଆତଙ୍କ

କଣ୍ଟାପଡା,୧୫।୩ (ଡି.ଏନ୍‌.ଏ.): ଗତ ୪ଦିନର ବ୍ୟବଧାନ ପରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ପଞ୍ଚାୟତସ୍ଥିତ ଗୁଣାଦେଳ ଗ୍ରାମ ଠାକୁରା ପୋଖରୀ ସାହିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୨ଜଣ ଚାଷୀଙ୍କର ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗତ ୯ତାରିଖ ରାତିରେ ଗ୍ରାମର ବାବାଜୀ ଚୌଧୁରୀଙ୍କ ୨୦ଟି ମେଣ୍ଢାଙ୍କ ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ଯଯ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସେହି ଗ୍ରାମର ଗୋକୁଳାନନ୍ଦ ଚୌଧୁରୀଙ୍କ ୯ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ୧ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛି। ଖବରପାଇ କଣ୍ଟାପଡା ପ୍ରାଣୀ ଚିକିତ୍ସାକେନ୍ଦ୍ର କର୍ମଚାରୀ, ଫୁଲନଖରା ବନ ବିଭାଗ ବନରକ୍ଷୀ ସୁଜାତା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଗୁଡିକୁ ବ୍ୟବଚ୍ଛେଦ କରି ନିକଟସ୍ଥ ଦଣ୍ଡାରେ ପୋତି ଦେଇଥିବା ଜଣାପଡିଛି। ଗତ ୯ତାରିଖ ରାତିରେ ଉକ୍ତ ଗଁାରେ ଅଷ୍ଟମ ପ୍ରହର ନାମଯଜ୍ଞ ଚାଲୁଥିବାବେଳେ ବିଳମ୍ବିତ ରାତିରେ ବାବାଜୀଙ୍କ ଗୁହାଳରେ ଅଜଣାଜନ୍ତୁ ପଶି ୨୦ଟି ମେଣ୍ଢାଙ୍କୁ ମାରି ଦେଇଥିଲା। ସକାଳେ ପରିବାର ଲୋକ ଏହା କୁକୁରଙ୍କ କାମ ଭାବି ମେଣ୍ଢାଗୁଡିକୁ ପୋତି ଦେଇଥିଲେ। କିଛିଦିନର ବ୍ୟବଧାନ ପରେ ପୁନର୍ବାର ସୋମବାର ରାତିରେ ଗୋକୁଳାନନ୍ଦଙ୍କ ଗୁହାଳ କବାଟ ବନ୍ଦ ଥିବାସତ୍ତ୍ୱେ ଭିତରେ ମେଣ୍ଢାଗୁଡିକ ବୀଭତ୍ସଭାବେ ମରିପଡିଥିବା ଦେଖି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମେଣ୍ଢା ପାଳନ ପରିବାରର ଆର୍ଥତ୍କ ମାନଦଣ୍ଡ ଥିବାରୁ ସେମାନେ ସରକାରୀ ସାହାଯ୍ୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ଏ ନେଇ ବନରକ୍ଷୀ ସୁଜାତା ନାୟକ କୁହନ୍ତି, ମେଣ୍ଢାଗୁଡିକ ଅଜଣାଜନ୍ତୁର ଆକ୍ରମଣର ଶିକାର ହୋଇଛନ୍ତି କି’ ନାହିଁ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ। ଏହାପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।