Categories: ଜାତୀୟ

କରୋନାରେ ଚାଲିଗଲା ଆଉ ଜଣେ ଟିଭି ଆଙ୍କରଙ୍କ ଜୀବନ

ନୂଆଦିଲ୍ଲୀ,୧।୫: କରୋନା ମହାମାରୀ ଜଣଙ୍କ ପରେ ଜଣଙ୍କ ଜୀବନ ନେଇଚାଲିଛି। ଏହି ଭୂତାଣୁ ବର୍ତ୍ତମାନ ସମଗ୍ର ଦେଶରେ ଆତଙ୍କ ଖେଳାଇଛି। ପ୍ରତିଦିନ ଏମିତି ଖବର ଆସୁଛି, ଯାହା ଶୁଣି ଲୋକଙ୍କ ମନୋବଳ ଭାଙ୍ଗି ଯାଉଛି। ବର୍ତ୍ତମାନ ଆଉ ଜଣେ ଆଙ୍କର ତଥା ଅଭିନେତ୍ରୀ କନୁପ୍ରିୟାଙ୍କ ନିଧନ ଘଟିଛି। ତାଙ୍କ ମୃତ୍ୟୁ ଖବର ସମ୍ପର୍କରେ ଖୋଦ୍‌ ବ୍ରହ୍ମାକୁମାରୀ ଶିବାନୀ ସୋସିଆଲ ମିଡିଆରେ ଜଣାଇଛନ୍ତି।

କନୁପ୍ରିୟା ଦୁଇଦିନ ତଳେ ସୋସିଆଲ ମିଡିଆରେ କହିଥିଲେ, ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ବୋଲି କନୁପ୍ରିୟା ଲୋକଙ୍କୁ ଅନୁରୋଧ କରିଥିଲେ। ତାଙ୍କର ଅକ୍ସିଜେନ ସ୍ତର କମ୍‌ ଥିଲା ଏବଂ ଜ୍ୱର ହୋଇଥିଲା।

ବ୍ରହ୍ମାକୁମାରୀ ଶିବାନୀ ତାଙ୍କୁ ମନେ ପକାଇ କହିଛନ୍ତି, ଓମ୍‌ ଶାନ୍ତି। ଶୁକ୍ରବାର ରାତିରେ କନୁପ୍ରିୟା ଦୁନିଆକୁ ଅଲବିଦା କହିଛନ୍ତି। ଆସନ୍ତୁ ସମସ୍ତେ ମିଶି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା।

ସୂଚନାଯୋଗ୍ୟ, କନୁପ୍ରିୟା ମିଡିଆରେ ଜଣେ ଜଣାଶୁଣା ଚେହେରା। ସେ ଦୂରଦର୍ଶନରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅଭିନୟ ଏବଂ ଥିଏଟରରେ ନିଜର ଦମ୍‌ଦାର ଅଭିନୟ ଦେଖାଇଥିଲେ। ସେ ଜଣେ ଭଲ ସ୍କ୍ରିପ୍ଟ ଲେଖିକା ମଧ୍ୟ।

Share