ବାରାମତୀରେ ପୁଣି ବିମାନ ଦୁର୍ଘଟଣା, ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ସ୍ଥାନରେ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍

ମୁମ୍ବାଇ,୯ା୮: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ବାରମତୀ ଏୟାରପୋର୍ଟ ପରିସରରେ ପୁଣି ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସୁଛି । ଏକ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨:୩୫ ମିନିଟ୍ ସମୟରେ ଏକ ଟ୍ରେନି ଏୟାରକ୍ରାଫ୍ଟ  ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା ଏବଂ ଜମିରେ ଖସିପଡ଼ିଥିଲା।

ତବେ ଏଥିରେ ସବୁଠାରୁ ଆଶ୍ୱସ୍ତିର କଥା ଏହା ଯେ, ଏହି ଭୟଙ୍କର ଦୁର୍ଘଟଣାରେ କୌଣସି ପ୍ରକାରର ଜୀବନହାନି ହୋଇନାହିଁ। ବିମାନରେ ଥିବା ପାଇଲଟ୍ ଏବଂ କ୍ୟାପଟେନ୍ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣାରେ ବିମାନଟିର ମଧ୍ୟ କୌଣସି ବଡ଼ଧରଣର କ୍ଷତି ହୋଇନାହିଁ।

ବାରମତୀ ଏୟାରପୋର୍ଟ ପରିସରରେ ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମୋଟ ଦୁଇଟି ସଂସ୍ଥା କାର୍ଯ୍ୟ କରୁଛି । କିନ୍ତୁ ଏଠାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା କୌଣସି ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଚଳିତ ବର୍ଷ ମେ’ ୧୩ ତାରିଖରେ ମଧ୍ୟ ବାରମତୀର ଗୋଜୁବାବୀ ଅଞ୍ଚଳରେ ଏଭଳି ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ମାତ୍ର କିଛି ମାସର ବ୍ୟବଧାନରେ ବାରମତୀରେ ପୁନର୍ବାର ବିମାନ ଦୁର୍ଘଟଣା ଘଟିବା ଘଟଣା ପ୍ରଶିକ୍ଷଣ ଉଡ଼ାଣଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ଚିନ୍ତା ସୃଷ୍ଟି କରିଛି।

Dharitri – Odisha’s No.1 Odia Daily