Categories: ଜାତୀୟ

ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଯିବେ ବିଶ୍ୱର ଆଉ ୯.୫ କୋଟି

ନୂଆଦିଲ୍ଲୀ,୭।୪: କରୋନାର ଦ୍ୱିତୀୟ ଲହର ବିଶ୍ୱକୁ ସଙ୍କଟ ଆଡ଼କୁ ନେଲାଣି। ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଲୋକଙ୍କ ଜୀବନଜୀବିକା ଉପରେ ମହାମାରୀ ଗଭୀର ପ୍ରଭାବ ପକାଇଥିବା ବେଳେ ୨୦୨୦ରେ ଅଧିକ ୯.୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୦-୨୪ ମଧ୍ୟରେ ନିମ୍ନ ଆୟକରୀ ଦେଶଗୁଡିକ ମଧ୍ୟରେ ୫.୭% ଏବଂ ଅଭିବୃଦ୍ଧିଶୀଳ ବଜାରଗୁଡିକରେ ୪.୭% ମୁଣ୍ଡ ପିଛା ଜିଡିପି ହ୍ରାସ ହେବ ବୋଲି ଏଥିରେ କୁହାଯାଇଛି।
ରିପୋର୍ଟ ମୁତାବକ, ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୨.୫% ଅଭିବୃଦ୍ଧି ହାସଲ କରିବ। ଅଭିବୃଦ୍ଧି ୧୧.୫% ରହିବା ନେଇ ଏହି ଏଜେନ୍ସି ଜାନୁୟାରୀରେ ଆକଳନ କରିଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଥିବା ଜଣାପଡିଛି। କରୋନାର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ଲାଗି ଭାରତରେ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରୁଛନ୍ତି।
ଏସିଆର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିକୁ ଏହା ପ୍ରଭାବିତ କରୁଛି। ଏଭଳି ସ୍ଥିତିରେ ଅଭିବୃଦ୍ଧି ଊର୍ଦ୍ଧ୍ୱଗାମୀ ରହିବ ବୋଲି ଏହି ଅନ୍ତର୍ଜାତୀୟ ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି।
ଲକ୍‌ଡାଉନ କଟକଣା କୋହଳ ହେବା ପରେ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁଛି। ଭାରତୀୟ ବଜାର ଯେଉଁ ହାରରେ ସୁଧାର ହେବ ବୋଲି ଆଶା କରାଯାଉଥିଲା ତା’ଠାରୁ ସ୍ଥିତି ଉନ୍ନତ ରହିଛି ବୋଲି ଆଇଏମ୍‌ଏଫ୍‌ ପକ୍ଷରୁ ପ୍ରକାଶିତ ଦ୍ୱିମାସିକ ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ରିପୋର୍ଟରେ କୁହାଯାଇଛି। ଅଭିବୃଦ୍ଧି ଅନୁମାନରେ ଏବେ ମଧ୍ୟ ଅନିଶ୍ଚିତତା ରହିଥିବା ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି। ଟିକାକରଣ ଧାରାରେ ଉନ୍ନତି ହେଲେ ଏହା ଅଭିବୃଦ୍ଧି ଅନୁମାନକୁ ଆହୁରି ଉନ୍ନତ କରିବ। ଗୋପୀନାଥ ପୁଣି କହିଛନ୍ତି, ମହାମାରୀ ପୂର୍ବ ତୁଳନାରେ ବର୍ତ୍ତମାନ ଲୋକଙ୍କ ଜୀବନ ଧାରଣ ମାନରେ ବଡ ତାରତମ୍ୟ ଦେଖାଯାଇଛି। ରିପୋର୍ଟ ଅନୁୟାୟୀ, ଅଭିବୃଦ୍ଧିଶୀଳ ବଜାରଗୁଡିକରେ ୨୦୨୧ରେ ଅଧିକାଂଶ ଲୋକଙ୍କୁ ଟିକା ଉପଲବ୍ଧ ହେବନାହିଁ। ସେହିଭଳି ଉନ୍ନତ ଅର୍ଥ ବ୍ୟବସ୍ଥା ଲାଗି କରୋନା କଟକଣା ଏବଂ ଲକ୍‌ଡାଉନ ଆବଶ୍ୟକ ହୋଇପାରେ।

Share