ଆଉ ଏକ ଧର୍ମୀୟ ଜାଗରଣ

ସୌଭାଗ୍ୟ ସୁନ୍ଦରରାୟ

ଆଇନଗତ ସ୍ତରରେ ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ତ ଘଟିଛି ବୋଲି କୁହାଯାଇପାରେ। ତେବେ ଦୀର୍ଘ ୩ ଦଶନ୍ଧି ଧରି ଦେଶରେ ଚାଲିଥିବା ଏକ ଧର୍ମୀୟ ଜାଗରଣର ପରିସମାପ୍ତି ଘଟିଛି ବୋଲି ଯଦି କୁହାଯାଏ ତାହା ଠିକ୍‌ ହେବ ନାହିଁ। ଏହା ପରକୁ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲା ଆଗକୁ ଆସିଲାଣି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ କେନ୍ଦ୍ରକରି ୧୯୯୦ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ଲାଲକୃଷ୍ଣ ଆଡ଼ଭାନୀ ସୋମନାଥ- ଅଯୋଧ୍ୟା ରଥଯାତ୍ରା ଆୟୋଜନ କରିଥିଲେ। ତତ୍କାଳୀନ ରାଜନୈତିକ ପ୍ରେକ୍ଷାପଟରେ ଦେଶରେ ଏହା ଥିଲା ବଡ଼ ଧର୍ମୀୟ ଜାଗରଣ। ଏହି ରଥଯାତ୍ରା ସମୟରେ ଆଡ଼ଭାନୀଙ୍କ ଦ୍ୱାରା ନୂଆ ‘ଛଦ୍ମ ଧର୍ମନିରପେକ୍ଷ’ ଶବ୍ଦ ସଂଯୋଜନା କରାଯାଇଥିଲା। ଯାତ୍ରା କାଳରେ ଆଡ଼ଭାନୀ ଗିରଫ ହେଲେ ଏବଂ ପ୍ରତିକ୍ରିୟା ସ୍ବରୂପ କେନ୍ଦ୍ରରେ ଭି.ପି. ସିଂଙ୍କ ସରକାରର ପତନ ଘଟିଥିଲା। ଏହାର ୨ ବର୍ଷ ପରେ ଅଯୋଧ୍ୟାଠାରେ ଅପୂଜ୍ୟ ଥିବା ବାବ୍ରି ମସ୍‌ଜିଦ୍‌ର ପତନ କାରସେବକଙ୍କ ଦ୍ୱାରା ଘଟିଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ କଂଗ୍ରେସର ପି.ଭି.ନରସିଂହ ରାଓ। ବାବ୍ରି ମସ୍‌ଜିଦ୍‌ ଭଙ୍ଗାଯିବା ଘଟଣାକୁ ଦେଶର ଗଣତନ୍ତ୍ରରେ ଏକ କାଳିମା ଭାବେ ବିବେଚନା କରାଯାଉଛି। ଏହି ରାମ ଜନ୍ମଭୂମି ଧାର୍ମୀୟ ଆନ୍ଦୋଳନର ସୁଫଳ ସ୍ବରୂପ ୧୯୯୬ରେ କେନ୍ଦ୍ରରେ ପ୍ରଥମ ଥର ପାଇଁ ଭାଜପା କ୍ଷମତାସୀନ ହେଲା, ଆଉ ଦଳର ଉଦାରପନ୍ଥୀ ନେତା ଅଟଳ ବିହାରୀ ବାଜପେୟୀ ହେଲେ ପ୍ରଧାନମନ୍ତ୍ରୀ। ଲାଲକୃଷ୍ଣ ଆଡ଼ଭାନୀ ହୋଇଥିଲେ ଉପ ପ୍ରଧାନମନ୍ତ୍ରୀ। ପ୍ରଥମେ ୧୩ ଦିନ, ଏହାପରେ ୧୩ ମାସ ଓ ପରିଶେଷରେ ଭାଜପା ସମ୍ପୂର୍ଣ୍ଣ ୫ ବର୍ଷ ଶାସନ କ୍ଷମତାରେ ରହିଥିଲା। ପରବର୍ତ୍ତୀ ୧୦ ବର୍ଷ ଧରି ଦଳ କ୍ଷମତାରୁ ଦୂରେଇ ରହିବା ପରେ ପୁଣି କ୍ଷମତାକୁ ଫେରିଲା, ଆଉ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି। ୨୦୧୯ରେ ନରେନ୍ଦ୍ର ମୋଦି ପ୍ରଥମ ପାଳି ୫ ବର୍ଷ କ୍ଷମତା ପୂରଣ କରି ଏବେ ଦ୍ୱିତୀୟ ପାଳି ପାଇଁ କ୍ଷମତାସୀନ ଅଛନ୍ତି। ଏହି ପୃଷ୍ଠଭୂମିରେ ଦେଶରେ ଏବେ ଆଉ ଏକ ଧର୍ମୀୟ ଜାଗରଣ ଦୃଷ୍ଟିଗୋଚର ହେଉଛି। ଏହା କ’ଣ ୨୦୨୪ ପାଇଁ ? ଭାଜପାକୁ କ୍ଷମତାସୀନ କରିବାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ଓ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ସର୍ବଦା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି। ଆଗାମୀ ନିର୍ବାଚନଗୁଡ଼ିକ ପାଇଁ ଏହି ସବୁ ହିନ୍ଦୁତ୍ୱବାଦୀ ସଙ୍ଗଠନ ପୂର୍ବ କୌଶଳ ଆପଣାଉଥିବା ଜଣାପଡ଼ିଛି। ଦେଶର ଅର୍ଥନୀତି ସମ୍ପ୍ରତି ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। ବିମୁଦ୍ରୀକରଣ, ଦ୍ରବ୍ୟ ଓ ସେବାକରରୁ ଆବଶ୍ୟକ ସଫଳତା ମିଳିପାରି ନାହିଁ। ରିଜର୍ଭ ବ୍ୟାଙ୍କ, ସିବିଆଇ ଓ ନ୍ୟାୟିକ ପ୍ରଶାସନରେ ସରକାରୀ ହସ୍ତକ୍ଷେପ ବୃଦ୍ଧି ପାଇଛି। ବ୍ୟାଙ୍କ ଶିଳ୍ପରେ ଦୁର୍ନୀତି ବି ବଢ଼ିଲା। ପ୍ରତିରକ୍ଷା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ ଆସିଲା। କୃଷି ବିଲ୍‌କୁ ନେଇ ସରକାରଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଲା। ଏପ୍ରକାର ସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ମଳିନ ହୋଇଥିବା ଅନୁଭବ କରି ହିନ୍ଦୁତ୍ୱବାଦୀ ସଙ୍ଗଠନଗୁଡ଼ିକ ସେଥିରୁ ଦୃଷ୍ଟି ଏଡ଼ାଇ ପୁଣି ଥରେ ଭାଜପାକୁ କ୍ଷମତାସୀନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଆରମ୍ଭ କରିଦେଇଛନ୍ତି।
ସଦ୍ୟତମ ଘଟଣାରେ ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଜ୍ଞାନବାପି ଧର୍ମପୀଠର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ହିନ୍ଦୁତ୍ୱବାଦୀ ସଙ୍ଗଠନ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଯାଇଛି। ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ମସ୍‌ଜିଦ୍‌ ଉଚ୍ଛେଦ ଦାବିରେ ସ୍ଥାନୀୟ ଅଦାଲତରେ ଶ୍ରୀକୃଷ୍ଣ ବିଜେ ସଂସ୍ଥା ପକ୍ଷରୁ ଏକ ମାମଲା ୨୦୨୦ ଅକ୍ଟୋବରରେ ଦାୟର କରାଯାଇଥିଲା। ୧୩ ଏକର ପରିମିତ କଥିତ କୃଷ୍ଣ ଜନ୍ମଭୂମି ସ୍ଥାନରେ ଏକ ଇଦ୍‌ଗା ମସ୍‌ଜିଦ୍‌ ରହିଛିି। ଏହି ମସ୍‌ଜିଦଟି ସପ୍ତଦଶ ଶତାବ୍ଦୀର ବୋଲି ଦର୍ଶାଯାଇଛି। ଶ୍ରୀକୃଷ୍ଣ ଜନ୍ମଭୂମି ପରିସରରେ ଏକାଧିକ ମନ୍ଦିର ରହିଛି। ମୁଖ୍ୟ ପୌରାଣିକ ମନ୍ଦିରଟି ଶ୍ରୀକୃଷ୍ଣଙ୍କ ଅଣନାତି ବ୍ରଜନାଭ ନିର୍ମାଣ କରାଇଥିବା କୁହାଯାଏ। ଏହି ସ୍ଥାନରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କେତେଟା ଖନନ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏହି ଖନନରୁ କିଛି ଟେରାକୋଟା ସାମଗ୍ରୀ ଆଦି ମିଳିଛି, ଯାହା ପ୍ରାୟ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି। ତେବେ ମଥୁରା ବ୍ରିଟିଶ ନିୟନ୍ତ୍ରଣକୁ ଆସିବା ପରେ ୧୮୧୫ ରେ ବ୍ରିଟିଶ ପ୍ରଶାସନ କଥିତ କୃଷ୍ଣ ଜନ୍ମଭୂମି ଜମିକୁ ନିଲାମ କରି ଦେଇଥିଲେ। ବନାରସର ଜଣେ ଧନିକ ବ୍ୟକ୍ତି ଏହାକୁ ନିଲାମରେ ନେଇଥିଲେ। ସ୍ବାଧୀନତା ପରେ ଶିଳ୍ପପତି ଯୁଗଳ କିଶୋର ବିରଲା ଓ ସାମାଜିକ କର୍ମୀ ଜୟଦୟାଲ ଡାଲମିଆ ଏହି ସ୍ଥାନରେ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପରିଚାଳନା ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଂସ୍ଥା ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା। ଡାଲମିଆ ବଂଶଜ ମନ୍ଦିର ପରିଚାଳନା ଓ ଟ୍ରଷ୍ଟ ସହ ଓତପ୍ରୋତ ଭାବେ ଜଡ଼ିତ ରହିଥିଲେ। ପ୍ରଭୁ ଶ୍ରୀକୃଷ୍ଣ ଯେଉଁ ବନ୍ଦୀଶାଳାରେ ଜନ୍ମ ହୋଇଥିଲେ ସେହି କୋଠରିର ଭଗ୍ନାବଶେଷ ଉପରେ କୁଆଡ଼େ ଇଦ୍‌ଗା ନିର୍ମାଣ ହୋଇଛି ବୋଲି କୁହାଯାଉଛି। ଏହି ପ୍ରସଙ୍ଗକୁ ଏବେ ହିନ୍ଦୁତ୍ୱବାଦୀ ସଙ୍ଗଠନଗୁଡ଼ିକ ଉଜ୍ଜୀବିତ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ୨୦୨୪ ଲୋକ ସଭା ନିର୍ବାଚନରେ ଦଳ ପୁନର୍ବାର କ୍ଷମତାକୁ ଫେରିବାର ପଥ ସୁଗମ ହୋଇପାରିବ ବୋଲି ସେମାନେ ମନେକରୁଛନ୍ତି।
ସେହିପରି ବାରାଣସୀର ୭ମ ଶତାବ୍ଦୀର କାଶୀ ବିଶ୍ୱନାଥ-ଜ୍ଞାନବାପି ଧର୍ମୀୟ ପରିସରକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିବେଶ ସୃଷ୍ଟି ହୋଇଛି। ମୋଗଲ ସମ୍ରାଟ ଔରଙ୍ଗଜେବ ଜ୍ଞାନବାପି ମସ୍‌ଜିଦ୍‌ଟି ନିର୍ମାଣ କରାଇଥିବା କୁହାଯାଉଛି ଏବଂ ଏହା କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ରହିଛି। ଏହି ମସ୍‌ଜିଦ୍‌ଟି ଏକ ହିନ୍ଦୁ ମନ୍ଦିର ଭଗ୍ନାବଶେଷ ଉପରେ ନିର୍ମାଣ ହୋଇଥିବା ଅଭିଯୋଗକରି ଏଠାରେ ପୂଜାର୍ଚ୍ଚନା ପାଇଁ କିଛି ହିନ୍ଦୁ ସଙ୍ଗଠନ ଦାବି କରୁଛନ୍ତି। ତୃତୀୟ ପାଳି କେନ୍ଦ୍ରରେ ଭାଜପାକୁ କ୍ଷମତାସୀନ କରିବା ଆଶାରେ ହିନ୍ଦୁତ୍ୱବାଦୀ ସଙ୍ଗଠନ ସକ୍ରିୟ ରହିଥିବା ଅନୁଭବ କରାଯାଉଛି। ଗତ ବିହାର ନିର୍ବାଚନ ସମୟରେ ମିଥିଳାର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଭାଷଣରେ ମିଥିଳା ମା’ ସୀତା ଦେବୀଙ୍କ ଜନ୍ମସ୍ଥାନ ବୋଲି ଉଲ୍ଲେଖ କରିବା ସହ ଅଯୋଧ୍ୟାରେ ନୂଆ ରାମମନ୍ଦିର ନିର୍ମାଣ ବିଷୟ କହିଥିଲେ। ତେଣୁ ଆସନ୍ତା ନିର୍ବାଚନରେ ଶ୍ରୀରାମଙ୍କ ସହ ଶ୍ରୀକୃଷ୍ଣ ଓ ଶଙ୍କରଙ୍କ ନାମ ପ୍ରସଙ୍ଗ ମଧ୍ୟକୁ ଆସିବ ବୋଲି ଜଳଜଳ ଦେଖାଯାଉଛି। ଆଗକୁ ମଥୁରା ଓ ଜ୍ଞାନବାପି ପ୍ରସଙ୍ଗକୁ ଆଇନର ଗଣ୍ଡି ମଧ୍ୟକୁ ନେବା ପାଇଁ ଉଦ୍ୟମ ହେବା ସହ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଗତିଶୀଳ କରିବା ସକାଶେ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସମ୍ଭାବନା ରହିଛି। ଏହାଦ୍ୱାରା ବାତାବରଣ ଗୋଳମାଳିଆ ହେବ। ଦେଶରେ ଉଚ୍ଚାଟ ସୃଷ୍ଟି ହେବ। ଏହି ଘନଘଟା ଭାଜପାକୁ ନିର୍ବାଚନରେ ସହାୟକ ହେବ ବୋଲି ହିନ୍ଦୁ ସଙ୍ଗଠନଗୁଡ଼ିକ ଆଶା ରଖିଥିବା ମନେହୁଏ।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri