ଆଉ ଜଣେ ପୁଟିନ୍‌ ସମାଲୋଚକଙ୍କ ମୃତ୍ୟୁ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ ଘଟିଛି। ୩୫ ବର୍ଷୀୟ କଣ୍ଠଶିଳ୍ପୀ ଡିମା ନୋଭା (ପ୍ରକୃତ ନାମ ଡିମିଟ୍ରି ସିର୍‌ଗୁନୋଭ୍‌) ଲୋକପ୍ରିୟ ଇଲେକ୍ଟ୍ରୋନିକ୍‌ ଗ୍ରୁପ୍‌ କ୍ରିମ୍‌ ସୋଡାର ପ୍ରତିଷ୍ଠାତା ଥିଲେ। ମାର୍ଚ୍ଚ ୧୯ରେ ସେ ନିଜ ଭାଇ ଓ ୩ ବନ୍ଧୁଙ୍କ ସହ ବରଫ ପାଲଟିଯାଇଥିବା ଭୋଲ୍‌ଗା ନଦୀ ପାର ହେଉଥବାବେଳେ ଫସିଯାଇଥିଲେ। ଡିମାଙ୍କ ୨ ଜଣ ବନ୍ଧୁଙ୍କୁ ବରଫରୁ ଉଦ୍ଧାର କରାଯାଇଥିବାବେଳେ ତୃତୀୟ ବନ୍ଧୁ ଜଣକ ଆମ୍ବୁଲାନ୍ସରେ ଆଖି ବୁଜିଦେଇଥିଲେ।

ୟୁକ୍ରେନ୍‌ରେ ରୁଷିଆ ଚଳାଇଥିବା ଯୁଦ୍ଧକୁ ଡିମା ନିଜ ଗୀତଗୁଡ଼ିକରେ ସମାଲୋଚନା କରୁଥିଲେ। ‘ଆକ୍ୱା ଡିସ୍କୋ’ରେ ସେ ପୁଟିନ୍‌ଙ୍କ ୧.୩ ବିଲିୟନ୍‌ ଡଲାର ମୂଲ୍ୟର ପ୍ରସାଦ କଥା ଉଠାଇ ସମାଲୋଚନା କରିଥିଲେ। ଏହି ଗୀତକୁ ମସ୍କୋ ବିରୋଧୀ ବିକ୍ଷୋଭକାରୀମାନେ ଗାଉଥିଲେ। ଡିମାଙ୍କୁ ମିଶାଇ ବର୍ଷକ ମଧ୍ୟରେ ପ୍ରାୟ ୩୫ ଜଣ ପୁଟିନ୍‌ ବିରୋଧୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଲାଣି।

Share