ଝାଡ଼ାବାନ୍ତିରେ ଚାଲିଗଲା ଆଉ ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ କଦମଗୁଡା ପଞ୍ଚାୟତ ସେମେଲପଦର ଏବଂ ବାଲାପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଛି। ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସେମେଲପଦର ଗାଁର ବେଣୁଧର ଗଉଡ଼। ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତଦେହ ୨୪ ଘଣ୍ଟା ପରେ ଗଁା ପହଞ୍ଚତ୍ଛି।

ମିଳିଥିବା ସୂଚନା ମୁତାବକ, ସେମେଲପଦର ଗାଁର ବେଣୁଧର ଝାଡ଼ାବାନ୍ତିରେ ଗୁରୁତର ହୋଇ ଗତ ୨୩ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ତ୍ରୀ ଆସନ୍ତି ମଧ୍ୟ ସେଠାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବେଣୁଧରଙ୍କ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କର ପରିବାର ଲୋକେ କିମ୍ବା ବନ୍ଧୁ ପରିଜନ ନ ଥିବାରୁ ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ପଡି ରହିଥିଲା। ରବିବାର ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁଙ୍କ ଉଦ୍ୟମ କ୍ରମେ ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମହାପ୍ରଣାୟନ ଗାଡି ଯୋଗେ ସେମେଲପଦରକୁ ଅଣାଯାଇଛି। ସେଠାରେ ସରପଞ୍ଚ ସନ୍ତୋଷ ମାଝି, ସମିତି ସଦସ୍ୟା ଚଞ୍ଚଳା ବେନିଆଁ ଓ ଅନ୍ୟମାନଙ୍କ ଉପସ୍ଥିତରେ ଶବ ସତ୍କାର କରାଯାଇଛି। ତେବେ ତାଙ୍କ ସ୍ତ୍ରୀ ଆସନ୍ତି ଏବେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବେଳେ ତାଙ୍କର ୭ ମାସର ଏକ ଛୁଆ ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ସପ୍ତାହ ହେଲା ଝାଡ଼ାବାନ୍ତି ସେମେଲପଦର ଓ ବାଲାପଦର ଗାଁରେ ବ୍ୟାପିବା ସହିତ ଗତ ୨୦ ତାରିଖରେ ବାଲାପଦର ଗାଁର ନିରନ ମାଝିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଉଭୟ ଗାଁର ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଜିଲା ତଥା ବ୍ଲକ ମେଡିକାଲ ଟିମ୍‌ ଚିକିତ୍ସା କରିଥିଲେ। ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।