୧୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଦୁର୍ବଳ ହୋଇ ଛତିଶଗଡ଼ ଏବଂ ପୂର୍ବ ମଧ୍ୟପ୍ରଦେଶ ଉପରେ ରହିଛି। ଆସନ୍ତା ୧୨ ଘଣ୍ଟା ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦୁଇ ଦିନ ପରେ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଲଘୁଚାପ ଯୋଗୁ ରାଜ୍ୟରେ ଗତ ୩ ଦିନ ଧରି ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସମ୍ବଲପୁର ଜମନକିରାରେ ୧୪୭ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ା ୧୩୬, ସମ୍ବଲପୁର ୧୨୫, ବରଗଡ଼ ୧୧୫, ବୁର୍ଲା ୧୧୨.୪, ଅନୁଗୋଳ ୧୦୭, ନବରଙ୍ଗପୁର ୯୫, ଦେବଗଡ଼ ୯୪, କଳାହାଣ୍ଡି ୯୧, ବାଙ୍କୀରେ ୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଯୋଗୁ ମହାନଦୀର ନରାଜ, ବୈତରଣୀ ନଦୀର ଆନନ୍ଦପୁର, ବୁଢ଼ାବଳଙ୍ଗ ନଦୀର ଏନଏଚ-୫, ଜଳକାର ମଥାନୀଠାରେ ବନ୍ୟାଜଳ ବୃଦ୍ଧିପାଉଛି। ତେବେ ବଂଶଧାରା ନଦୀର କାଶୀନଗରଠାରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।
ଏହାର ପ୍ରଭାବରେ ୧୩ ଓ ୧୪ ଦୁଇଦିନ ଯାଏ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏଥିଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ଛୋଟଧରଣର ବନ୍ୟା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୩ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ସବୁ ଜିଲା ପାଇଁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।

ଆସନ୍ତା ୧୪ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଆସନ୍ତା ୧୯ ତାରିଖରେ ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ହେବ।