ଧରାପଡ଼ିଲା ଆଉ ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌

ଝାରସୁଗୁଡ଼ା ଅଫିସ,୭ା୪: କିଛିଦିନର ବ୍ୟବଧାନ ପରେ ଝାରସୁଗୁଡା ଜିଲା ପୋଲିସ ପୁଣି ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌ର ପର୍ଦ୍ଦାଫାଶ କରି ୩ଜଣଙ୍କୁ ଗିରଫ କରିଛି। ଗତ ଫେବୃୟାରୀ ମାସରେ ବେଲପାହାଡର ଯୁବତୀ ନୀତା ଛତରଙ୍କୁ କୌନ ବେନେଗା କରୋଡପତିରେ ୩୫ଲକ୍ଷ ଟଙ୍କା ଲଟେରି ଜିତିଛ କହି ତାଙ୍କ ନିକଟରୁ ସାଇବର ଅପରାଧୀମାନେ ୧ଲକ୍ଷ ୬୯ହଜାର ଟଙ୍କା ଲୁଟି ନେଇଥିଲେ। ଏହାର ପର୍ଦ୍ଦାଫାଶ୍‌ କରି ପୋଲିସ ନେପାଳ ସୀମାରୁ ନିରୋଜ କୁମାରଙ୍କୁ ଗିରଫ କରି ମାର୍ଚ୍ଚ ୧୬ତାରିଖରେ କୋର୍ଟ ଚାଲାଣ କରିଛି। ଏଭଳି ସ୍ଥିତିରେ ପୁଣି ବେଲପାହାଡର ଶିବାଶିଷ କର୍ମକାର ନାମକ ଜଣେ ରେଲଓ୍ବେ କର୍ମଚାରୀଙ୍କଠାରୁ ସାଇବର ଅପରାଧୀମାନେ ଫୋନ୍‌ପେ’ରେ ୩୬ହଜାର ଟଙ୍କା ଲୁଟିନେଇଥିଲେ। ଶିବାଶିଷ ଏ ନେଇ ବେଲପାହାଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଗତ ୨୪ତାରିଖରେ କେସ୍‌ ନଂ.୫୯/୨୧ରେ ମାମଲା ରଜୁକରି ତଦନ୍ତ ଚଳାଇଥିଲା। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଲଖନପୁରରୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝାଡଖଣ୍ଡ ଗିରିଡି ଜିଲା ଅହଲ୍ୟାପୁର ଗ୍ରାମର ଗୁଡୁଲାଲ୍‌ ରଣା(୨୬), ପପୁ ରଣା(୩୨) ଓ ଗୋପାଳ ରଣା(୩୪)। ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ବିର୍ଜୁ ରଣା ଫେରାର୍‌ ଅଛନ୍ତି। ଏମାନଙ୍କ ନିକଟରୁ ଲୁଟ୍‌ ୨୩ହଜାର ଟଙ୍କା, ୯ ମୋବାଇଲ୍‌, ସୋନି ସାଉଣ୍ଡ୍‌ ସିଷ୍ଟମ୍‌ ଆଦି ସାମଗ୍ରୀ ପୋଲିସ ଜବତ କରିଛି। ଏ ନେଇ ଏସ୍‌ପି ବିକାଶ ଚନ୍ଦ୍ର ଦାସ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସାଇବର ଅପରାଧୀମାନେ ଶିବାଶିଷଙ୍କୁ ପ୍ରଥମେ ମୋବାଇଲ୍‌ରେ କଲ୍‌କରି ଫୋନ୍‌ପେ’ରେ ତୁମର ୧୯ଶହ ଟଙ୍କା ଅଫର୍‌ ଆସିଛି। ପରେ ସେମାନେ ଏକ ଲିଙ୍କ୍‌ ପଠାଇଥିଲେ। ଏହାକୁ ଶିବାଶିଷ ପରିଚାଳନା କରିଥିଲେ। ପରେ ୧୯ଶହ ଟଙ୍କା ଅଫର୍‌ ମିଳିବା ପରିବର୍ତ୍ତେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୨ କିସ୍ତିରେ ୩୬ ହଜାର ଟଙ୍କା କଟିଥିଲା। ଏ ନେଇ ଶିବାଶିଷ ପୋଲିସ୍‌ରେ ଜଣାଇଥିଲେ। ଏସ୍‌ପି ଦାସଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ବେଲପାହାଡ ଆଇଆଇସି ରଶ୍ମିତା ବେହେରା ଓ ସବ୍‌ଇନ୍ସପେକ୍ଟର ପି.କେ. ସ୍ବାଇଁ ରହିଥିଲେ। ଏହି ଟିମ୍‌ ସାଇବର ଅପରାଧୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାରକରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନେ ସୁନ୍ଦରଗଡ ଜିଲାରେ କାଠ କାମ କରନ୍ତି। ସହଜ ଉପାୟରେ ଅର୍ଥ ଉପାର୍ଜନ କରିବାପାଇଁ ସେମାନେ ଅଜଣା ମୋବାଇଲ୍‌ ନମ୍ବରରେ ଲୋକଙ୍କୁ ଫୋନ୍‌କଲ୍‌ କରି ଲୋଭ ଦେଖାଇ ଜାଲରେ ଫସାଉଥିଲେ। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରେ ବ୍ରଜରାଜନଗରର ଜଣେ ଏମ୍‌ସିଏଲ୍‌ ଅଧିକାରୀ ବିମାନ ଟିକେଟ୍‌ କରିବାକୁ ଯାଇ ୬ଲକ୍ଷ ଟଙ୍କା ସାଇବର କ୍ରାଇମ୍‌ ଠକେଇର ଶିକାର ହୋଇଥିଲେ। ପୋଲିସ୍‌ ୪ଲକ୍ଷ ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏ ନେଇ ପୋଲିସ୍‌ ବ୍ରଜରାଜନଗର ଥାନାରେ ଏକ ମାମଲା (ନଂ.୮୯/୨୧) ରୁଜୁକରି ତଦନ୍ତ ଚଳାଇଛି।