ସବ୍ୟସାଚୀଙ୍କ ଆଉ ଏକ ବଦାନ୍ୟତା: ୧୬ଦିନ ପରେ ମରଶରୀର ପାଇଲେ ପରିବାର

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ବିଦେଶରେ ବନ୍ଧା ପଡ଼ିଥିଲା ମରଶରୀର। ଶେଷଥର ପାଇଁ ମରଶରୀରକୁ ଦେଖିବା ପାଇଁ ପରିବାର ବ୍ୟାକୁଳ ଥିଲେ। ୧୬ଦିନ ପରେ ମା’ ଫେରିପାଇଲେ ପୁଅକୁ, ସ୍ତ୍ରୀ ସ୍ବାମୀକୁ ଏବଂ ପିଲାମାନେ ‘ବାପା’ଙ୍କୁ। ହେଲେ ଜୀବନ୍ତ ନୁହେଁ ମୃତ ଅବସ୍ଥାରେ। ପୁରା ଗଁା ସ୍ତବ୍ଧ ପାଲଟିଯାଇଛି। ଗଞ୍ଜାମ ଜିଲାର ଖଲ୍ଲିକୋଟ ପଞ୍ଚାୟତ ଖୁଜାପଲ୍ଲୀ ଗାଁର ବଳରାମ ପ୍ରଧାନ। ବୟସ ୩୬ବର୍ଷ। ଦୀର୍ଘ ଦେଢବର୍ଷ ହେବ ରୋଜଗାର ଆଶାରେ ଦୁବାଇକୁ ଯାଇଥିଲେ। ସେଠାରେ ଦାଦନ ଶ୍ରମିକଭାବେ କାମ କରୁଥିଲେ। କିନ୍ତୁ କରୋନା ସବୁକିଛି ବିଗାଡ଼ି ଦେଲା। କାମ ଧନ୍ଦା ନ ପାଇବାରୁ ଭବିଷ୍ୟତ ଚିନ୍ତା କରି ବଳରାମଙ୍କ ମୃତ୍ୟୁ ଘଟିଲା। ଗତ ୨୯ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିବା ଖବର ଘରଲୋକ ପାଇଥିଲେ। ସେହିଦିନଠାରୁ କେମିତି ବଳରାମଙ୍କ ମୃତଦେହ ଗ୍ରାମକୁ ଆସିବ ସେଥିପାଇଁ ସମସ୍ତେ ଚିନ୍ତାରେ। ଏମିତି ସମୟରେ ବିପଦର ବନ୍ଧୁ ସାଜିଲେ ଅଭିନେତା ସବ୍ୟସାଚୀ। ଏସମ୍ପର୍କରେ ଖବର ପାଇବା କ୍ଷଣି ୩୦ଦିନରେ ଆସି ପହଞ୍ଚତ୍ବାକୁ ଥିବା ମରଶରୀରକୁ ନିଜ ମାନବିକତା ଦେଖାଇ ୩ଦିନ ମଧ୍ୟରେ ଆଣି ପରିବାର ଲୋକଙ୍କ ହସ୍ତାନ୍ତର କରିଲେ। ଅନ୍ତର୍ଜାତୀୟ ଏୟାରପୋର୍ଟରେ ମରଶରୀର ଆସି ପହଞ୍ଚତ୍ବାରେ ବହୁ ସମସ୍ୟା ହୁଏ। କିନ୍ତୁ ସବ୍ୟସାଚୀ କନ୍‌ସୁଲେଟ୍‌ ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଦୁବାଇ ପୋଲିସଙ୍କ ସହ ଯୋଗାଯୋଗ କରିବାପରେ ମରଶରୀରକୁ ଉଦ୍ଧାର କରି କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମରଶରୀର ଓଡ଼ିଶାରେ ପହଞ୍ଚତ୍ବା ସବ୍ୟଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା। ଏହାପରେ ସେ ଗୁଇନ୍ଦା ବିଭାଗ ଡିଆଜି ଅନୁପ ସାହୁଙ୍କୁ ଯୋଗାଯୋଗ କରିବାପରେ କଷ୍ଟମ୍‌ ଇନ୍‌ସ୍ପେକ୍ଟର ମାଲ୍ୟବିକ ଘୋଷ, ଏୟାରପୋର୍ଟ ଥାନା ଆଇଆଇସି ଉମାକାନ୍ତ ପ୍ରଧାନ, ଏୟାର ଇଣ୍ଡିଆ ସିନିୟର୍‌ ମ୍ୟାନେଜର୍‌ ଜିତେନ୍ଦ୍ର ଦାସଙ୍କ ସହାୟତାରେ ବଳରାମଙ୍କ ମରଶରୀରକୁ ସବ୍ୟସାଚୀ ଗତକାଲି ହସ୍ତାନ୍ତର କରିଛନ୍ତି। ବଳରାମ କାମ କରୁଥିବା କମ୍ପାନୀ ସହ ସବ୍ୟସାଚୀ ଯୋଗାଯୋଗ କରିଛନ୍ତି। ଏହାସହିତ ବଳରାମଙ୍କ ୨ପୁଅଙ୍କ ପାଠପଢ଼ାର ଦାୟିତ୍ୱ ବହନ କରିବାପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।