କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଅମରପାଲି,୨୩।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗାଡ଼ ଗ୍ରାମର ଚାଷୀ ସପନ ପଧାନ (୫୯)ଙ୍କ କିଡ୍‌ନୀ ରୋଗରେ ମଙ୍ଗଳବାର ମୃତ୍ୟୁ ଘଟିଛି। ୫ ବର୍ଷ ଧରି ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ କିଡ୍‌ନୀ ରୋଗର ବଢ଼ୁଥିବା ପ୍ରକୋପ ଓ ସ୍ବାସ୍ଥ୍ୟ ସେବାର ଅଭାବକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ପରିବାର ସୂଚନା ଅନୁଯାୟୀ, ପ୍ରଥମେ ଜ୍ୱର ହେବାରୁ ସପନଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଥିଲା। ବିଭିନ୍ନ ପରୀକ୍ଷା ପରେ ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ପରେ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସା କରାଯିବା ସହ କଟକର ଜଣେ ବିଶେଷଜ୍ଞଙ୍କ ନିକଟରେ ମଝିରେ ମଝିରେ ଯାଇ ଚିକିତ୍ସିତ ହେଉଥିଲେ।
ଜଣେ କ୍ଷୁଦ୍ର ଚାଷୀ ହୋଇଥିବାରୁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଧାର ଉଧାର କରିଥିଲେ। ଆର୍ଥିକ ଅଭାବ ଯୋଗୁ ନିୟମିତ ଓ ଉନ୍ନତ ଚିକିତ୍ସାରୁ ବଞ୍ଚତ୍ତ ହୋଇଥିବାବେଳେ ତାଙ୍କ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳି ନ ଥିବା ପରିବାର ଅଭିଯୋଗ କରାଯାଇଛି। ତାଙ୍କ ୨ ପୁଅ ଦୀନବନ୍ଧୁ ଓ ପିଙ୍କୁ ଶ୍ରମିକ ଭାବେ କାମ କରି ବାପାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଥିଲେ। ସ୍ଥାନୀୟ ଅଞ୍ଚଳରେ କିଡ୍‌ନୀ ବିଶେଷଜ୍ଞ ଡାକ୍ତର ଓ ଉନ୍ନତ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ଦୂରଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ଗ୍ରାମ ଶ୍ମଶାନରେ ସପନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ଦୀନବନ୍ଧୁ ମୁଖାଗ୍ନି ଦେଇଥିଲେ।
ଏପରିସ୍ଥିତିରେ ବହଳପଦର ଓ ଦୁର୍ଜନତୈଳା ପଞ୍ଚାୟତ ସମେତ ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହି ରୋଗରେ ମୃତ୍ୟୁ ଘଟୁଥିବା ସତ୍ତ୍ୱେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨ଦିନ ଧରି ଜିଲାପାଳଙ୍କ ସହିତ ଭୁବନେଶ୍ୱର ଏମ୍ସର ଏକ ଡାକ୍ତରୀ ଦଳ ସୁବର୍ଣ୍ଣପୁର ଜିଲାର ବିଭିନ୍ନ କିଡନୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମାତ୍ର କିଡନୀ ପ୍ରଭାବିତ ବହଳପଦର ଓ ଦୁର୍ଜନତୈଳା ପଞ୍ଚାୟତକୁ ଏହି ଦଳ ଆସି ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।