କ୍ରିକେଟ୍‌ ଜଗତରେ ପୁଣି ଲଜ୍ଜା: ଆସିଲା ସାଂଘାତିକ ଅଭିଯୋଗ, ବଲ୍‌ରେ ଲାଗିଛି…

ଢାକା,୧୪।୧୧: ବାଂଲାଦେଶର ଘରୋଇ କ୍ରିକେଟରେ ସ୍ବଚ୍ଛତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଦେଶର ପ୍ରଥମ ନ୍ୟାସନାଲ କ୍ରିକେଟ ଲିଗ (NCL) ସେକେଣ୍ଡ ଇଲେଭେନ ଟୁର୍ନାମେଣ୍ଟ ଶେଷ ହେବା ପରେ ବଲ ଟାମ୍ପରିଂକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ। ଖେଳାଳିମାନେ ବଲ୍‌ର ଅବସ୍ଥା ବଦଳାଇବା ଏବଂ ରିଭର୍ସ ସୁଇଂ ହାସଲ କରିବା ପାଇଁ ବ୍ୟାପକ ଭାବେ ଭାସଲିନ ବ୍ୟବହାର କରୁଥିବା ଦାବି କରାଯାଇଛି।
ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଢାକା ଡିଭିଜନ ସେକେଣ୍ଡ ଇଲେଭେନ, ଖୁଲନା ଡିଭିଜନ ସେକେଣ୍ଡ ଇଲେଭେନକୁ ଗୋଟିଏ ଇନିଂସ ଓ ୩୫ ରନ୍‌ରେ ପରାସ୍ତ କରି ଟାଇଟଲ ଜିତିଥିଲା। ତେବେ ଏହି ବିଜୟ ଅପେକ୍ଷା ଏବେ ସମଗ୍ର ଟୁର୍ନାମେଣ୍ଟ ବଲ ଟାମ୍ପରିଂ ଅଭିଯୋଗକୁ ନେଇ ଚର୍ଚ୍ଚାରେ ରହିଛି।
ବାଂଲାଦେଶର ଘରୋଇ କ୍ରିକେଟ୍‌ରେ ଖେଳାଳିମାନେ ଅତି ଚତୁରତାର ସହ ବଲ ଟାମ୍ପରିଂ କରୁଥିବା ଅଭିଯୋଗ ହୋଇଛି। ଖେଳାଳିମାନେ ନିଜ ଆଙ୍ଗୁଠି ମଧ୍ୟରେ ଭାସଲିନ ଲଗାଇ ରଖୁଥିବାରୁ ବଲ୍‌ରେ ଏହା କିଏ ଲଗାଇଛି, ତାହା ଜାଣିବା କଷ୍ଟକର ବୋଲି କୁହାଯାଉଛି। କିଛି ଖେଳାଳି ନିଜ କେଶରେ ଭାସଲିନ ଲଗାଇ ରଖୁଥିଲେ। ବଲକୁ ଚକଚକ କରିବା ବାହାନାରେ କେଶରେ ହାତ ବୁଲାଇବା ପରେ ସେହି ହାତକୁ ବଲ୍‌ରେ ଘଷୁଥିଲେ। ଏହା ସହିତ ଆଙ୍ଗୁଠିରେ ଲାଗିଥିବା ଭାସଲିନ ମଧ୍ୟ ବଲ ଧରିବା ସମୟରେ ବଲ୍‌ରେ ଲଗା ଯାଉଥିବା ଅଭିଯୋଗ ହୋଇଛି। ଧରାପଡ଼ିବା ଆଶଙ୍କାରେ ଖେଳାଳିମାନେ ବିନା ସୁଗନ୍ଧ ଥିବା ଭାସଲିନ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ କୁହାଯାଇଛି। ଏହାଦ୍ୱାରା ଅମ୍ପାୟାରମାନେ ଗନ୍ଧ ଶୁଙ୍ଘି ମଧ୍ୟ ସନ୍ଦେହ କରିପାରୁ ନ ଥିବା କୁହାଯାଇଛି। ବଲ୍‌ରେ ଭାସଲିନ ଲଗାଇବା ଦ୍ୱାରା ଏହାର ଓଜନ ବଢ଼ିଯାଏ ଏବଂ ବଲ୍‌ର ଗତି ଓ ସ୍ବିଇଂ ଉପରେ ପ୍ରଭାବ ପଡ଼ିପାରେ। ଏହା ବ୍ୟାଟରଙ୍କୁ ଅସୁବିଧାରେ ପକାଇପାରେ।

ଟୁର୍ନାମେଣ୍ଟ ସହ ଜଡ଼ିତ ଅନେକଙ୍କ କହିବା ଅନୁସାରେ, ଏହି ବିଷୟରେ ଦଳଗୁଡ଼ିକ ପକ୍ଷରୁ ମ୍ୟାଚ୍‌ର ଅମ୍ପାୟାରମାନଙ୍କୁ ଏକାଧିକ ଥର ସତର୍କ କରାଯାଇଥିଲା। କିନ୍ତୁ ଠୋସ ପ୍ରମାଣ ମିଳି ନ ଥିବା ଏବଂ ଅମ୍ପାୟାରଙ୍କ ଅବହେଳା ଯୋଗୁ ଏପରି ଘଟଣା ବଢ଼ୁଥିବା ଅଭିଯୋଗ ହୋଇଛି।

ତେବେ ଏହି ଘଟଣା ସମ୍ପର୍କରେ ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ଅମ୍ପାୟାର କମିଟି ନିକଟରେ ଏଯାଏ କୌଣସି ଲିଖିତ କିମ୍ବା ଆନୁଷ୍ଠାନିକ ଅଭିଯୋଗ ପହଞ୍ଚି ନ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

 

Share