Categories: ଖେଳ

ସାଇନାଙ୍କ ଆଉ ଏକ କୃତିତ୍ୱ

ଭୁବନେଶ୍ୱର, ୧୧।୧(ତପନ ସ୍ବାଇଁ): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର ଚେସ୍‌ ତାରକା ସାଇନା ସାଲୋନିକା କ୍ୟାରିୟରରେ ଆଉ ଏକ କୃତିତ୍ୱର ଅଧିକାରିଣୀ ହୋଇଛନ୍ତି। ନିଜ ନେତୃତ୍ୱରେ ସେ ନର୍ଥ ଜୋନ୍‌ ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଟୁର୍ନାମେଣ୍ଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଚାମ୍ପିୟନ କରାଇଛନ୍ତି। ଝାନ୍‌ସୀର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପରିସରରେ ଚଳିତ ମାସ ୮ରୁ ୧୦ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ଏଥିରେ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟ ରୌପ୍ୟ ଓ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ ଶିମ୍‌ଲା ବ୍ରୋଞ୍ଜ ପଦକ ହାସଲ କରିଛି। ସାଇନା ସମ୍ପ୍ରତି ଦିଲ୍ଲୀର ମିରାଣ୍ଡା ହାଉସ୍‌ କଲେଜରେ ଅଧ୍ୟୟନ କରୁଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳରେ ସାଇନାଙ୍କ ବ୍ୟତୀତ ଆରୁଶୀ କୋଟଓ୍ବାଲ, ତନିସ୍କା କୋଟିଆ, ଅଞ୍ଜିଥା କ୍ରିଷ୍ଣା କୁମାର ଓ ପୂର୍ଣ୍ଣିମା ଗୁପ୍ତା ସାମିଲ ଥିଲେ। ପ୍ରତିଯୋଗିତାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାର ୫ ପ୍ରତିଦ୍ୱନ୍ଦ୍ୱୀ ଦଳ ଶ୍ରୀନଗରର ଗେରଓ୍ବାଲ ବିଶ୍ୱବିଦ୍ୟାଳୟ, ସିମ୍‌ଲାର ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ, ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ଏନ୍‌ଏସ୍‌ୟୁଟିକୁ ହରାଇ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ସମସ୍ତ ୫ଟି ଯାକ ଗେମ୍‌ ଜିତିଥିବାରୁ ସାଇନା ବୋର୍ଡ-୧ରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି। ଗତବର୍ଷ ମଧ୍ୟ ସାଇନାଙ୍କ ନେତୃତ୍ୱରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ବ୍ୟକ୍ତିଗତ ଓ ଦଳଗତ ସଫଳତା ପାଇଁ ସାଇନା ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳକୁ ମିରାଣ୍ଡା ହାଉସ କଲେଜ ପ୍ରଫେସର ବିଜୟଲକ୍ଷ୍ମୀ ନନ୍ଦ, କ୍ରୀଡ଼ା ନିର୍ଦ୍ଦେଶକ ଅମ୍ରିତା ରାଣା, କ୍ରୀଡ଼ା ସଂଯୋଜକ ନୀରୁ ଯାଦବ ଅଭିନନ୍ଦନ ଜଣାଇଛନ୍ତି।

Share