Categories: ଜାତୀୟ

ସୀମାରେ ଆଉ ୫୦ ହଜାର ସେନା ମୁତୟନ

ନୂଆଦିଲ୍ଲୀ, ୨୯ା୬: ଦୀର୍ଘ ୭୦ ବର୍ଷ ପରେ ଚାଇନା ପ୍ରତି ପୂର୍ବରୁ ଥିବା ପ୍ରତିରକ୍ଷା ଆଭିମୁଖ୍ୟ ବଦଳାଇଛି ଭାରତ। ଆକ୍ରୋଶ ଓ ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା ଏହି ପଡ଼ୋଶୀ ଦେଶ ସହ ଆକ୍ରମଣାତ୍ମକ ବ୍ୟବହାର ପାଇଁ ଭାରତ ସେନାକୁ ବିକଳ୍ପ ଭାବେ ବାଛିଛି। ଏଣିକି ଚାଇନାର ଯେ କୌଣସି ଭାରତ ବିରୋଧୀ କାର୍ଯ୍ୟକଳାପ ରୋକିବାକୁ ଏବଂ ଆକ୍ରମଣାତ୍ମକ ଢଙ୍ଗରେ ଜବାବ ଦେବାକୁ ସୀମାରେ ସେନା ମୁତୟନ ବଢ଼ାଯାଇଛି। ନିକଟରେ ଭାରତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ଠାରେ ଅତିରିକ୍ତ ୫୦ ହଜାର ସେନା ମୁତୟନ କରିଛି, ଯାହା କେବଳ ଚାଇନା ସହ ବିବାଦୀୟ ସୀମା ଉପରେ ଧ୍ୟାନ ରଖିବ। ଏହାସହ ସୀମା ନିକଟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରାଯାଇଛି।
ରିପୋର୍ଟ ଅନୁସାରେ, ପୂର୍ବରୁ ପାକିସ୍ତାନ ସୀମାରେ ମୁତୟନ ଥିବା ମଥୁରାସ୍ଥିତ ଓ୍ବାନ ଷ୍ଟ୍ରାଇକ କର୍ପକୁ ଚାଇନା ସୀମା ନିକଟକୁ ପଠାଯାଇଛି। ଏଥିସହ ସେଣ୍ଟ୍ରାଲ ସେକ୍ଟରରେ କମ୍‌ ବିବାଦୀୟ ସୀମା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରୁ ନେପାଳ ନିକଟରେ ମଧ୍ୟ ଅତି କମ୍‌ରେ ଗୋଟିଏ ଡିଭିଜନ (୧୦,୦୦୦ ଯବାନ) ସେନା ମୁତୟନ କରାଯାଇଛି। ପାନାଗଡଠାରେ ଥିବା ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପ ବା ବ୍ରହ୍ମାସ୍ତ୍ର କର୍ପକୁ ସୀମାର ପୂର୍ବ କ୍ଷେତ୍ରକୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି କର୍ପ ପ୍ରତିଆକ୍ରମଣ କରିପାରିବ। ଗତ ବର୍ଷ ଗଲଓ୍ବାନ ଉପତ୍ୟକାରେ ଚାଇନା ଓ ଭାରତୀୟ ସୈନ୍ୟ ମୁହାଁମୁହିଁ ହେବାପରଠାରୁ ଭାରତ ଏହାର ସେନା ଭିତ୍ତିଭୂମି ମଜଭୁତ କରିବା ସହ ୪୦ ପ୍ରତିଶତ ଅଧିକ ଯବାନଙ୍କୁ ମୁତୟନ କରିଛି। ଚାଇନାକୁ ଲାଗି ଥିବା ଭାରତ ସୀମାକୁ ଏବେ ପ୍ରାୟ ୨ ଲକ୍ଷ ଯବାନ ଜଗି ରହିଛନ୍ତି।

Share