ସାଇବର ଅପରାଧରେ ବେନାମୀ ସିମ୍‌

ଅନୁଗୋଳ ଅଫିସ, ୮ା୧୦ ଠକେଇ ପାଇଁ ଇଣ୍ଟରନେଟ୍‌କୁ ମାଧ୍ୟମ କରୁଛନ୍ତି ଠକ। କେତେବେଳେ ମୋବାଇଲ ଆପ୍‌ ତ ଆଉ କେତେବେଳେ ଗିଫ୍ଟ ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟରୁ ଚଳୁ କରୁଛନ୍ତି ଟଙ୍କା। ଏପରି କି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ସାମାଜିକ ଗଣମାଧ୍ୟମରେ ଫେକ୍‌ ଆକାଉଣ୍ଟ ଖୋଲି ମଧ୍ୟ ଧମକାଇ ଅର୍ଥ ଆଦାୟ କରାଯାଉଛି। ସହାୟତା ଲୋଡ଼ିବା ଆଳରେ ଠକେଇ ଚାଲିଛି। କିଛି ଟଙ୍କା ଦେଲେ ମାର୍କେଟ୍‌ରେ ବେନାମୀ ସିମ୍‌ ମିଳିଯାଉଥିବାରୁ ଏହା ସାଇବର ସହ ବିଭିନ୍ନ ଆପରାଧିକ କାର୍ଯ୍ୟରେ ବହୁଳ ବ୍ୟବହାର ହେଉଥିବା ଅନୁଗୋଳ ଜିଲାରେ ଦେଖିବାକୁ ମିଳୁଛି।
ଅନୁଗୋଳ ଜିଲାରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଅନୁଗୋଳ ଥାନା ସହ ସଦର ଥାନା, ବଅଁରପାଳ, ନାଲ୍‌କୋ, ତାଳଚେର, କୋଲିୟରୀ ଓ ବିକ୍ରମପୁର ଥାନା ଅଞ୍ଚଳରେ ଏପରି ଅପରାଧ ଅଧିକ ଘଟୁଛି। ଅନ୍ୟ ଲୋକଙ୍କ ନାମ ଓ ଠିକଣା ବ୍ୟବହାର କରି ସିମ୍‌ କିଣାଯାଉଥିବାରୁ ଅପରାଧୀମାନେ ସହଜରେ ପୋଲିସ ହାତରେ ଧରାପଡ଼ୁନାହାନ୍ତି। ଏହା ହିଁ ଅପରାଧ ବୃଦ୍ଧିର ଅନ୍ୟତମ କାରଣ ହୋଇଛି। ନିକଟରେ ବିକ୍ରମପୁର ଥାନା ଅଞ୍ଚଳର ସୁବ୍ରତ କୁମାର ମାଝିଙ୍କ ନାମ ଓ ଫଟୋ ଲଗାଇ ସାମାଜିକ ଗଣମାଧ୍ୟମରେ ଫେକ୍‌ ଆକାଉଣ୍ଟ ଖୋଲାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ନଂ. ୧୧୯/୨୧ରେ ମାମଲା ରୁଜୁ କରି ୨ ଯୁବକଙ୍କୁ ଗିରଫ କରି ଗତ ୨୬ ତାରିଖରେ କୋର୍ଟ ଚାଲାଣ କରିଥିଲା। ଗିରଫ ଦୁଇ ଯୁବକଙ୍କ ମୋବାଇଲ ଦୋକାନ ରହିଛି। ସେମାନେ ବେନାମୀ ସିମ୍‌ କାର୍ଡ ଆକ୍ଟିଭ କରି ୨ଶହରୁ ୩ଶହ ଟଙ୍କାରେ ବଜାରରେ ବିକ୍ରି କରୁଥିଲେ ବୋଲି ପୋଲିସ କହିଛି। କେବଳ ଏହି ଦୁଇଜଣ ନୁହନ୍ତି ଅନୁଗୋଳ ଜିଲାର ବିଭିନ୍ନ ବଜାର ଅଞ୍ଚଳରେ ଥିବା କେତେକ ଦୋକାନରେ ଏପରି ବେନାମୀ ସିମ୍‌ ବ୍ରିକି ଚାଲିଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଅନୁଗୋଳ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବେନାମୀ ସିମ୍‌ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କୁ କିଭଳି ପ୍ରମାଣ ସହ କାବୁ କରାଯିବ ସେ ନେଇ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରୁଛି।
ଅପାରଗତା ହିଁ ଦାୟୀ
ପୋଲିସର ଅପାରଗତା କାରଣରୁ ବେନାମୀ ସିମ୍‌ ବ୍ୟବହାର କରି ସାଇବର ଠକେଇ ଓ ଅନ୍ୟ ଅପରାଧ ଘଟାଯାଉଛି। ଅନୁଗୋଳରେ ଏପରି ଘଟଣା ବଢ଼ି ଚାଲିଥିବାରୁ ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି।
-ଦିବ୍ୟଦର୍ଶୀ ବଳିଆରସିଂହ, ଅନୁଗୋଳ
ଢିଲା ବ୍ୟବସ୍ଥାର ପରିଣାମ
ସମୟ ସହ ପୋଲିସ ବିଭାଗ ସମନ୍ବୟ ରକ୍ଷା କରି ଆଗେଇପାରୁ ନାହିଁ। ସେଥିପାଇଁ ସାଇବର ଅପରାଧୀମାନଙ୍କ ନିକଟରେ ପୋଲିସ ପହଞ୍ଚିପାରୁ ନାହିଁ। ଏପରି ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଲୋକଙ୍କ ଧନ ଠକଙ୍କ ଆକାଉଣ୍ଟକୁ ଚାଲିଯାଉଛି।
-ଅଲେଖ ଚନ୍ଦ୍ର ସାହୁ, କ୍ରିମିନାଲ ଓକିଲ
ତୁରନ୍ତ ପଦକ୍ଷେପ ନିଆଯାଉ
ଉପଯୁକ୍ତ ପ୍ରମାଣପତ୍ର ବିନା ସିମ୍‌ ଦେବା ଏକ ଅପରାଧ। ଏହି କାରଣରୁ ଜିଲାର ଅନେକ ବ୍ୟକ୍ତି ସେମାନଙ୍କ ସଞ୍ଚିତ ଅର୍ଥରାଶି ହରାଉଛନ୍ତି। ତେଣୁ ଏହାକୁ ଯଥାଶୀଘ୍ର ରୋକିବା ଦିଗରେ ପଦକ୍ଷେପ ନିଆଯାଉ।
-ବିନିତ ସାହା, ବ୍ୟବସାୟୀ, ବଇଣ୍ଡା