ବାହାନଗାକୁ ରେଳମନ୍ତ୍ରୀଙ୍କ ୨ କୋଟି ଅନୁଦାନ ଘୋଷଣା

ବାହାନଗା (ଅରୂପ ଦାସ)/ବାଲେଶ୍ୱର (ମାନସ ବିଶ୍ୱାଳ), ୨୧।୬: ବାହାନଗାରେ ରେଲଓ୍ବେ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ଆୟୋଜିତ ସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁର୍ଘଟଣା ସମୟରେ ଆପଣମାନେ ଯାହା କରିଛନ୍ତି ତାହା ପ୍ରଂଶସନୀୟ ବୋଲି ସେ କହିଛନ୍ତି। ଅଞ୍ଚଳର ବିକାଶ ପାଇଁ ସେ ଏମ୍‌ପି ପାଣ୍ଠିରୁ ୧ କୋଟି ଓ ବାହାନଗା ଜାତୀୟ ରାଜପଥରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ ନିମନ୍ତେ ରେଲଓ୍ବେ ପକ୍ଷରୁ ୧ କୋଟି ଅନୁଦାନ ଘୋଷଣା କରିଛନ୍ତି। ସଭା ପରେ ମନ୍ତ୍ରୀ ଦୁର୍ଘଟଣା ହୋଇଥିବା ସ୍ଥାନ ଓ ରେଳ ମୁଖ୍ୟ ଫାଟକକୁ ପରିଦର୍ଶନ କରିଛନ୍ତି। ଖୁବ୍‌ଶୀଘ୍ର ବିଭାଗ ତରଫରୁ ମୁଖ୍ୟ ଫାଟକଠାରେ ଓଭରବ୍ରିଜ୍‌ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ରେଳମନ୍ତ୍ରୀ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପହଞ୍ଚି ଦୁର୍ଘଟଣାରେ ଆହତ ଓ ଗୁରୁତରଙ୍କ ସେବା କରିଥିବା ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଆମ୍ବୁଲାନ୍ସ ଡ୍ରାଇଭର, ସଫେଇ କର୍ମଚାରୀ, ସୁରକ୍ଷା କର୍ମୀମାନଙ୍କ ମଧ୍ୟରୁ ପ୍ରାୟ ୨୫ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।